Unknown

 

 

 

 

 

 

 

 

ରତ୍ନାକର ଚଂପୂ

(ଚୌପଦୀ ରତ୍ନାକର)

କବିସୂର୍ଯ୍ୟ ବଳଦେବ ରଥ

 

ରାଗ-ପୂରବୀ

 

କୃଷ୍ଣକୁଞ୍ଚିତ ଚାମରକେଶା, କ୍ରୀଡ଼ାଚପଳକୁରଙ୍ଗାଦୃଶା,

କନକକଳିତ, କେତକୀଦଳିତ, ଗଉରାଙ୍ଗୀ ଏକା ମୋ ଭରସା,

ଆରେ କୁନ୍ଦହାସି, କଳାକଲ୍ଲୋଳିନୀକେଳି - କଳହଂସୀ ।୧।

 

କିଶୋରୀକୁଳକିରୀଟମଣି, କୃଶୋଦରୀ କଳକଣ୍ଠବାଣୀ,

କୋମଳ ବୟସେ, କାହୁଁ ଶିଖିଲା ସେ, କେଳତିକି ଜିଣିବାର ଠାଣି,

ସେ ମୋ କୁତୁକିନୀ, କାମରଣ ସମୟେ ମୋ ଅନୀକିନୀ ।୨।

 

କଳ୍ପିଲେ କଳ୍ପାନ୍ତ ଯାଏ କବି, କୁହାଯିବ ନାହିଁ ତାହା ଛବି,

କେ ଅବା ବୋଲିବ, ବଢ଼ାଇ ତ୍ରିଦିବ, ବାମାକୁ, ବଳିବ ମୋ ବାନ୍ଧବୀ

ସେ ମୋ କମଳାକ୍ଷୀ, କୋଟିକଳାକରକମନୀୟମୁଖୀ ।୩।

 

କୁସୁମବାସିନୀ ବାମା ପାଶେ, କରନ୍ତେ ସଞ୍ଚାର ମୁଁ ନିମିଷେ,

କଞ୍ଜବନଚାରୀ, ମିଳିନ୍ଦର ପରି, କଳେବର ଗୋଟିଯାକ ବାସେ,

ସେ ମୋ କାନ୍ତିସିନ୍ଧୁ, କୁଞ୍ଜନିଳୟଭୂଷା ମୋ ପ୍ରାଣବନ୍ଧୁ ।୪।

 

 

 

କାଳିନ୍ଦୀକୂଳ ସଙ୍କେତ ସ୍ଥାନେ, କିଶୋରଚନ୍ଦ୍ର ଶ୍ରୀମତୀ ଧ୍ୟାନେ,

କରନ୍ତେ ଶରଧା, ମିଳିଗଲେ ରାଧା ପ୍ରିୟ ସହଚରୀ ସେ ବିପିନେ,

ସେ ମୋ କରଭୋରୁ, କହେ ରସେ କବିରବି ରାୟଗୁରୁ ।୫।

 

(କ) ଟୀକା-ଶ୍ରୀକୃଷ୍ଣଙ୍କ ଭାବନା: କନକକଳିତକେତକୀଦଳିତଗୌରାଙ୍ଗୀ-ଯାହାର ଦେହର ବର୍ଣ୍ଣ ସୁବର୍ଣ୍ଣ ଓ ପ୍ରସ୍ଫୁଟିତ କେତକୀ ଫୁଲର ବର୍ଣ୍ଣଠାରୁ ଅଧିକ ମନୋହର; କିରୀଟ-ମୁକୁଟ; କଳକଣ୍ଠ-କୋଇଲି; କେଳତି-ରତି; କୁତୁକିନୀ-କୌତୁକପରାୟଣା; ଅନୀକିନୀ-ସୈନ୍ୟବଳ ପରି ସହାୟ; କଳାକର-ଚନ୍ଦ୍ର; କଞ୍ଜବନଚାରୀ-ପଦ୍ମବନରେ ଭ୍ରମଣକାରୀ; ମିଳିନ୍ଦ-ଭ୍ରମର; କାନ୍ତିସିନ୍ଧୁ-ଶୋଭାସମୁଦ୍ର; ନିଳୟ-ଗୃହ; କାଳିନ୍ଦୀ-ଯମୁନା; କରଭୋରୁ-ମଣିବନ୍ଧଠାରୁ କାଣୀ ଆଙ୍ଗୁଠି ପର୍ଯ୍ୟନ୍ତ ହାତର ବହିର୍ଭାଗକୁ କରଭ କହନ୍ତି, ଯାହାର ଊରୁ (ଆଣ୍ଠୁ ଉପର) ସେହିପରି ହୋଇଥାଏ ।

 

ରାଗ-ତୋଡ଼ିପରଜ

 

ଖେଳାଖଞ୍ଜରୀଟଦୃଶା, ମୋ ବନ୍ଧୁ,

ଖଟାଅ ମୋତେ ତା ବେହରଣଫୁଲ ଖଟତଳେ ଦିବାନିଶା। ।ପଦ।

 

ଖିଲାଇ ମାତ୍ରକ ବିନ୍ଦୁମତି ମଧୁ ବନ୍ଧୁକବନ୍ଧୁଅଧରୁ,

ଖିଆଲରସପ୍ରସଙ୍ଗ ସଙ୍ଗିନୀଙ୍କ ଗଣେ ମୋତେ ଜଣେ କରୁ ।୧।

 

ଖମଣିମଣ୍ଡଳ ଅସ୍ତ ହେବା କାଳ ଜଗି କୋକ ଜାଗରୂକ,

ଖଞ୍ଜୁଥିବି ସୂନସଜଡ଼ା ମଣ୍ଡନ ମଣ୍ଡୁ ମୋ ଅଙ୍କପଲଙ୍କ ।୨।

 

ଖିଲ ଖିଲ କରି ଖୁଆଇବି ଶିରୀମୂଖେ କର୍ପୂର ବିଡ଼ିଆ,

ଖଲି ମୃଗମଦ ଚିତ୍ରିବି ପ୍ରମୋଦଭରେ ଉରଜ ନଡ଼ିଆ ।୩।

 

ଖଣ୍ଡ ସହୋଦର ମଧୁର ତା ଗିର ବରତନ ବୋଲି ଭାବି,

ଖୁଣ ନଥିବାର ଅଲକତସାର ଚିତ୍ର ପଦେ ଲେଖୁଥିବି ।୪।

 

ଖଟା ଲେଶ ଚିତ୍ତେ ନ ରଖି ଲଳିତେ ଘେନାଅ ବାଳାପୂରତେ,

ଖରାପ ନୁହେଁଟି ପରଉପକୃତି କବିରବି ବୋଲେ ଗୀତେ ।୫।

 

 

 

(ଖ) ଟୀକା-ଶ୍ରୀକୃଷ୍ଣ ଦୂତୀ ଲଳିତାଙ୍କୁ କହୁଅଛନ୍ତି: ଖେଳାଖଞ୍ଜରୀଟଦୃଶା-କ୍ରୀଡ଼ାରତ କଜ୍ଜଳପାତୀ ଚଢ଼େଇ ଆଖି ପରି ଯାହାର ଆଖି ଚଞ୍ଚଳ; ବେହରଣ-ବିହାର ମଣ୍ଡପ; ଖିଲାଇ-ସସ୍ନେହରେ ଖୁଆଇ; ବିନ୍ଦୁମିତ-ଏକ ବିନ୍ଦୁ ପରିମାଣବିଶିଷ୍ଟ; ବନ୍ଧୁକ-ରକ୍ତବର୍ଣ୍ଣ ଫୁଲ ବିଶେଷ (ବନ୍ଧୁ ଅଧରର ଉପମାନ); ଖମଣି-ସୂର୍ଯ୍ୟ; କୋକ-ଚକ୍ରବାକ, ଏହି ପକ୍ଷୀର ରାତିରେ ବିଚ୍ଛେଦ ହୁଏ; ଜାଗରୂକ-ସତର୍କ, ସୂନ-ଫୁଲ, ବିଡ଼ିଆ-ପାନ, ମୃଗମଦ-କସ୍ତୂରୀ, ଖଣ୍ଡସହୋଦର-ଖଣ୍ଡ ନାମକ ମିଷ୍ଟାନ୍ନ ତୁଲ୍ୟ, ବରତନ-ବେତନ, ଅଲକତ-ଅଳତା, ଖଟା ଲେଶ-ଟିକିଏ ମାତ୍ର ମନୋଦୁଃଖ, ଉପକୃତି-ଉପକାର ।

 

ରାଗ-କେଦାର

 

ଗୁଣ ରତ୍ନାକର ହେ,ଗଲାନି କି ସରି

ସେ କିଶୋରୀ କୁଳାଚାର ହେ ।ପଦ।

 

ଗୋପାଳଙ୍କ କୁଳଶୀଳ ଗଙ୍ଗାରୁ ଗଭୀର ହେ,

ଗୋସ୍ପଦରୁ ଉଣା ମଣିଲ କି ବଂଶୀଧର ହେ ।୧।

 

ଗଣ୍ଠିଧନୁ ଗୁପତ ମୋ ସଖୀର ଆବୁର ହେ,

ଗହନ କୁସୁମ ପରି ହେବ କି ଏଥର ହେ ।୨।

 

ଗୋପନୃପବଳରୁ ନ ଥିଲେ ହେଲେ ଡର ହେ,

ଗଡ଼କୁ ନିକଟ ପରା ଏ ତୁମ୍ଭ ନଗର ହେ ।୩।

 

ଗରିଷ୍ଠ ପ୍ରତାପୀ କଂସ ଶୁଣିଲେ ଖବର ହେ,

ଗୋବର୍ଦ୍ଧନଗିରିଗୁହାପୁଟ ଯିବ ଜୂର ହେ ।୪।

 

ଗଲେ ମୁଁ ଚିତ୍ତକୁ ସବୁ ହୋଇବ ଗୋଚର ହେ,

ଗୀତେ ବୋଲେ କବିରବି ସର୍ବସଂହାସୁର ହେ ।୫।

 

 

 

(ଗ) ଟୀକା-ଲଳିତା ଶ୍ରୀକୃଷ୍ଣଙ୍କୁ କହୁଅଛନ୍ତି: ଆବୁର-ମହତ୍ତ୍ୱ, ଗହନକୁସୁମ-ବଣଫୁଲ ପରି ନିଷ୍ପ୍ରୟୋଜନ, ଗୋପନୃପ-ନନ୍ଦ, ଗଡ଼କୁ-କଂସ ରାଜଧାନୀକୁ, ଜୂର-ନଷ୍ଟ, ସର୍ବଂସହାସୁର-ଭୂସୁର ଅର୍ଥାତ ବ୍ରାହ୍ମଣ ।

 

ରାଗ-ରେଗୁପ୍ତ

 

ଘନକେଶା ରେ, ଘେନ ଏତେ ଗିର ମୋର ସୁସାରେ ।ପଦ।

 

ଘସ୍ରନାଥକନ୍ୟାକୂଳବସା ରେ,

ଘୋଣାଗ୍ରେ କିଶୋର ଶ୍ୱାସ ପ୍ରସାରେ ।୧।

 

ଘୋରତର କାମକାତିଭୂଷାରେ,

ଘାଣ୍ଟି ହେଉଅଛି ଦିବାନିଶାରେ ।୨।

 

ଘଟସ୍ତନା ତୁ ଏ କଷ୍ଟଦଶାରେ,

ଘନାଶ୍ଳେଷେ ରଖ ଯଶ ସଂସାରେ ।୩।

 

ଘାରି ହେଉଅଛି ଏ ଦୁର୍ଦ୍ଦଶାରେ,

ଘୋରି ହୋଇ ଯାଉଛି ସେ ରସାରେ ।୪।

 

ଘୋଟି କାମତମ ପ୍ରତିଦିଶାରେ,

ଘୁମାଉଅଛିଟି ରସାଳସା ରେ ।୫।

 

 

 

 

 

ଘଡ଼ିଏ ଶ୍ରୀଯୁଗଳ ପ୍ରଶଂସାରେ,

ଘଟାଇଲେ କବିରବି ଭାଷାରେ ।୬।

 

(ଘ) ଟୀକା-ଲଳିତା ରାଧାଙ୍କ ନିକଟରେ ଶ୍ରୀକୃଷ୍ଣପ୍ରସଙ୍ଗ ବର୍ଣ୍ଣନ କରୁଅଛନ୍ତି ସୁସାରେ-ସ୍ଥିର ଚିତ୍ତରେ, ଘସ୍ରନାଥ କନ୍ୟା-ଯମୁନା, ଘୋଣାଗ୍ରେ-ନାକ ଅଗରେ, ଘୋରତରକାମ-କାତିଭୂଷାରେ-କନ୍ଦର୍ପର ଭୟଙ୍କର ଅସ୍ତ୍ର ଆଘାତରେ, ଘନାଶ୍ଳେଷ-ଗାଢ଼ାଲିଙ୍ଗନ, ରସାରେ-ପୃଥିବୀରେ, ରସାଳସା ରେ-ହେ ରସିକେ ।

 

ରାଗ-କାମୋଦୀ

 

ନିଦ ନାହିଁଟି ନଟବରକୁ ଗୋ, ନେତ୍ରୁ ନିରତେ ମୁଞ୍ଚେ ନୀରକୁ ଗୋ,

ନ ଲଭିବାରୁ ନବନୀତାଙ୍ଗି ତୋ ପଲ୍ଲବଅଧରମଧୁରନିର୍ଝରକୁ ଗୋ ।ପଦ।

 

ନୂଆ ନାଗରୀ କେତେ, ନାହାନ୍ତି ଏ ଜଗତେ ନଚାଇ ନୟନାନ୍ତେ ସ୍ମରକୁ ଗୋ,

ନିର୍ମଳ କେଡ଼େ ତୋର, ପୂର୍ବପୁଣ୍ୟ ନାଗର, ନ ଚିନ୍ତେ ତୋ ବିନା ଇତରକୁ ଗୋ ।୧।

 

ନିପଟ ତୁ କପଟୀ, ନୋହୁ ତୁ ଆମ୍ଭେ ହଟି, ହଟି ସିନା ତୋ ବିଦ୍ୟା ତରକୁ ଗୋ,

ନଉକରିକି ବାଇ ହେବାଯାଏ ଲଗାଇ ଜାଣୁ ତୁ ମୋହନ ମନ୍ତରକୁ ଗୋ ।୨।

 

ନିୟମ କରୁ ପରା, ନାହିଁ ଶିଖଣ୍ଡଝରା, ଚାହିଁ ମୁଁ ବୋଲି ଥର ଥରକୁ ଗୋ,

ନୟନବାଣ ତୋର, ନ ବାଜି ନିକି ସ୍ମର, ନୀଳଦେହରେ ଦେଲା ଜ୍ଵରକୁ ଗୋ ।୩।

 

ନ ଜାଣି ଅବା ଜାଣି, ବଢ଼ାଇ ଦେଲୁ ପାଣି, ବ୍ୟୋମସଞ୍ଚାରୀ କଳାକରକୁ ଗୋ,

ନ ହସୁ ଜନ ଯେବେ, ଉପାୟବଳେ ଏବେ ଅଣାଅ ତାକୁ ନିଜ କରକୁ ଗୋ ।୪।

 

ନଳିନୀଦଳ ଶେଯ, ନେତ୍ରେ ଦେଖିଲି ଆଜ, ନୀରଦନିଭ କଳେବରକୁ ଗୋ,

ନାସାଗ୍ରେ ଶ୍ୱାସ ବହେ, କବିମିହିର କହେ ସମୁଦ୍ଧର ଈଦୃଶ ଜନକୁ ଗୋ ।୫।

 

 

 

 

(ଙ) ଟୀକା-ଲଳିତା ରାଧାଙ୍କ ନିକଟରେ ଶ୍ରୀକୃଷ୍ଣଙ୍କ ଦଶା ବର୍ଣ୍ଣନା କରୁଅଛନ୍ତି: ନବନୀତାଙ୍ଗୀ-ଲହୁଣୀ ପରି ଯାହାର ଅଙ୍ଗ କୋମଳ (ସଂବୋଧନ), ନିପଟ-ନିଶ୍ଚୟ, ଶିଖଣ୍ଡଝରା-ମୟୂରପୁଚ୍ଛ ମୁକୁଟକୁ, ନିକି-କିମ୍ବା, କଳାକର-ଚନ୍ଦ୍ରମା, ନଳୀନିଦଳ ଶେଯ-ପଦ୍ମପତ୍ରଶଯ୍ୟାଗତ, ନୀରଦନିଭକଳେବର-ମେଘସଦୃଶ ଶରୀର (ଶ୍ରୀକୃଷ୍ଣ) । ସମୁଦ୍ଧର-ଭଲଭାବେ ଉଦ୍ଧାର କର, କବିମିହିର-କବିସୂର୍ଯ୍ୟ ।

 

ରାଗ-ସାବେରୀ

 

ଚନ୍ଦ୍ରମୁଖିରେ, ଚଞ୍ଚଳ ଚାରୁଚନ୍ଦ୍ରକଚୂଳ ଚାହାଁ ।ପଦ।

 

ଚାପ ଚାରୁ ଚିଲ୍ଲୀ ବଲ୍ଳୀ ଚଳେ, ଚାକିଚକ୍କଣଗଣ୍ଡଯୁଗଳେ,

ଚଳରତନ କୁଣ୍ଡଳ ଲୋଳେ ଚାହିଁ ଚକ୍ଷୁ ଲେଖା ହୁଏ ପରମସୁଖୀ ରେ ।୧।

 

ଚୁମ୍ବିଅଛି ଭାଲପଟ ରେଖ, ଚୂର୍ଣ୍ଣକେଶ କି ସୁନ୍ଦର ଦେଖ,

ଚନ୍ଦ୍ରଚୟକୁ ଜିଣିଛି ମୁଖ, ଚଞ୍ଚରୀକତୁଲ୍ୟ ତାରତରଳ ଆଖି ରେ ।୨।

 

ଚମତ୍କାର ଦନ୍ତବାସ ସୀମା, ଚୋରାଇଛି କି ବିମ୍ବସୁଷମା,

ଚିତ୍ତ କି ଲାଗୁଛି ଏ କିସ ମା, ଚିହ୍ନା ପଡ଼ିଯିବା କି ଚାତୁରୀ ଉପେକ୍ଷି ରେ ।୩।

 

ଚତୁର୍ଦ୍ଦଶଲୋକ ରମଣୀୟ, ଚାମୀକର - କାନ୍ତିଚୟମୟ,

ଚେଳ ମଧ୍ୟରେ କି କମନୀୟ, ଚେତା ଚମକାଇ ଦେଉଅଛି ନ ରଖି ରେ ।୪।

 

ଚରତିରେ କବିରବି ଭାଷେ, ଚାରିମୁଖଦେବ ପରିତୋଷେ,

ଚେଟୀ ହେଲେ ହେଲେ ଏ ପୁରୁଷେ, ଚିରନ୍ତନ ଜନ୍ମ ପୁଣ୍ୟ ପୁଣ୍ୟରେ ଲେଖି ରେ ।୫।

 

 

 

 

(ଚ) ଟୀକା-ଲଳିତା ଦୂରରୁ ରାଧାଙ୍କୁ ଶ୍ରୀକୃଷ୍ଣଙ୍କ ଶୋଭା ଦେଖାଇ ଦେଉଅଛନ୍ତି: ଚନ୍ଦ୍ରକଚୂଳ-ମୟୂରପୁଚ୍ଛରେ ନିର୍ମିତ ହୋଇଥିବା ମୁକୁଟ; ଚାପଚାରୁ-ଧନୁପରି ସୁନ୍ଦର; ଚିଲ୍ଲୀ-ଭ୍ରୂ; ବଲ୍ଲୀ-ଲତା, ଚାକି-ଲାବଣ୍ୟ, ଚଞ୍ଚରୀକ-ଭ୍ରମର; ତାରତରଳ ଆଖି-ଚକ୍ଷୁର ତାରାଦ୍ୱାରା ଢଳ ଢଳ ହେଉଥିବା ଆଖି; ଦନ୍ତବାସ ସୀମା-ଅଧରର ପ୍ରାନ୍ତଭାଗ; ଏ କିସ ମା-ଏ କି ବିଚିତ୍ର (ଗଞ୍ଜାମ ଅଞ୍ଚଳରେ ପ୍ରଯୁକ୍ତ) । ଚାମୀକର-ସୁବର୍ଣ୍ଣ; ଚେଳ-ବସ୍ତ୍ର; ଚାରିମୁଖଦେବ-ବିଧାତା; ଚେଟୀ-ଦାସୀ ।

 

ରାଗ-ମୁଖାରୀ

 

ଛଇଳା ମୋରେ ଛାଉଲି ଛାଡ଼,

ଛଦ୍ମ ନୀରେ ନିରନ୍ତର ନ ବୁଡ଼ ।ପଦ।

 

ଛାମୁରେ ଥିବା ସହଚରୀଗଣେ,

ଛାଇ ତୁ ପରା ମୋ ଅନୁସରଣେ ।୧।

 

ଛଣା ପୀୟୂଷ ପରି କହି ଆଣି,

ଛପାଇ ଦେଉଛୁ କାହିଁକି ପୁଣି ।୨।

 

ଛାପ ଦେଇ ଲଘୂ ନ କର ହେଳେ,

ଛତି ଟେକାଇ ଦେ ତରୁଣୀକୁଳେ ।୩।

 

ଛିଦ୍ରଭେଦ ଘେନିବାକୁ ମୋହର,

ଛକେ ଛକେ ଜଗି ଅଛନ୍ତି ଚର ।୪।

 

ଛୁଇଁ ଦେଇ ନୀଳଛବି ବାସନା,

ଛଟପଟ ହୋଇ ମରିବା ସିନା ।୫।

 

ଛାତି ଭିତରୁ ଧୃତି ଗଲା ସରି,

ଛଳ ଛାଡ଼ି କୋଳ କଲେ କିଶୋରୀ ।୬।

 

ଛୁଟିଲା ଶଙ୍କା ସଖୀ ହୃଦୟରୁ,

ଛ ଏକ ପଦେ କହେ ରାୟଗୁରୁ ।୭।

 

(ଛ) ଟୀକା-ରାଧା ଶ୍ରୀକୃଷ୍ଣଙ୍କ ଶୋଭା ସନ୍ଦର୍ଶନ ପରେ ଲଳିତାଙ୍କୁ କହୁଅଛନ୍ତି: ଛଇଳା-ହେ ଚତୁରି, ଛାଉଲି-କପଟ ବ୍ୟବହାର; ଛଦ୍ମ ନୀରେ ନିରନ୍ତରେ ନ ବୁଡ଼-କପଟରୂପ ଜଳରେ ସର୍ବଦା ବୁଡ଼ ନାହିଁ ଅର୍ଥାତ୍ ମୋ ସଙ୍ଗେ କପଟ ବ୍ୟବହାର କର ନାହିଁ । ଛପାଇ ଦେଉଛି-ଲୁଚାଇ ଦେଉଛି, ଛାପ ଦେଇ-ଦାଗ ଦେଇ ବା ଦୋଷାରୋପ କରି; ଛିଦ୍ରଭେଦ ଘେନିବାକୁ-ଦୋଷାରୋପ କରିବାକୁ ।

 

ରାଗ – ତୋଡ଼ି

 

ଜଳଜନୟନା ଜାତି କେଡ଼େ କରକଶ ଗୋ,

ଜୀଇ ଥାଇଁ ଯାହା ଜାଣି ପ୍ରିୟଜନକ୍ଲେଶ ଗୋ ।ପଦ।

 

ଜମ୍ଭାରାତି ନୀଳଅଙ୍ଗ ଦୁଃଖଜଳେ ବୁଡ଼ି ଗୋ,

ଜର୍ଜର ତମାଳଦଳ ପରି ଝଡ଼ି ପଡ଼ି ଗୋ,

ଯାଉଛି ଜମି ଧରା ପରାଗରେ, ଯା ଉଚିତ ତାହା ନ ଲଭିବାରେ,

ଜାଣିଶୁଣି କଣ୍ଣେ ଲୋଚନେ ଚାହିଁ, ଜହର ଯାହା ଗିଳିଲାଇଁ ନାହିଁ ।୧।

 

ଜପିଲେ କୋଟିକଳପ ସୁରସର ତୀରେ ଗୋ,

ଯା ଚରଣତଳେ ଚୁମ୍ବ ଦେବା ସୁରତିରେ ଗୋ,

ଜଗଦୀଶ କି ନ କରନ୍ତି ସତେ, ଜପିଲେ ହେଲେ ଆମ୍ଭଙ୍କୁ ନିରତେ,

ଜଳ୍ପିଲେ ଚାଟୁ ନ ବିଚାରି ଉଣା, ଜନମୁ ନାହିଁ ମାନସେ କରୁଣା ।୨।

 

ଜଗତ ଜୀବାତୁ ସେ ଜଙ୍ଗମନୀଳମଣି ଗୋ,

ଜଟାଧରପରଜ୍ଵରେ କମ୍ପୁଛନ୍ତି ପୁଣି ଗୋ,

ଯାଇ ଜାକି ଧରିବା କି ଯତନେ, ଜାଗରୂକ ହୋଇ ଜମାଇ ସ୍ତନେ,

ଜନେ ହସିଲେ ହସିବେ ଜଗତେ, ଜୀବନ କି ଦୁଃଖ ପାଇଲେ ସତେ ।୩।

 

ଜନ୍ମାନ୍ତରମାନଙ୍କର ସୁକର୍ମ ବଳରେ ଗୋ,

ଜନ୍ମ ସିନା ମାତ୍ର ନନ୍ଦସୁନ୍ଦରୀ କୋଳରେ ଗୋ,

ଜୁରାଇ ଘର ଗୋରସ ସମ୍ପତି, ଜଞ୍ଜାଳିଲେ ଆମ୍ଭେ କରି ସମ୍ମତି,

ଜଳପିବାକୁ ଏବେ ନାହିଁ ବଳ, ଜଗି ପାରିଲାଇଁ ନାହିଁ ଏ କାଳ ।୪।

 

ଜ୍ୟାଗୀର୍ବାଣ କବିରବି ରାୟଗୁରୁ ଭଣେ ଗୋ,

ଯାହା କଲେ ଗୋପକୁ ଦନୁଜ ଜନେ ଜନେ ଗୋ,

ଜୀବନଜନେତ୍ର ଥିବାରୁ ସିନା, ଜଣା ନୋହିଲା ସେ ଭୟବାସନା,

ଜିଣିବାକୁ ହେଲେ ସେ ଉପକୃତି, ଯାଇଁ ସୁଝିଲାଇଁ ନାହିଁ ଝଟତି ।୫।

 

(ଜ) ଟୀକା-ଲଳିତା ରାଧାଙ୍କୁ କହୁଅଛନ୍ତି: ଜଳଜନୟନାଜାତି-ପଦ୍ମନେତ୍ରୀ ସ୍ତ୍ରୀସମୂହ, ଜମ୍ଭାରାତି ନୀଳଅଙ୍ଗ-ଇନ୍ଦ୍ରନୀଳମଣି ସଦୃଶ ଶ୍ରୀକୃଷ୍ଣଙ୍କ ଶରୀର, ଜର୍ଜରତମାଳଦଳ-ତମାଳଗଛର ପୁରୁଣା ପତ୍ର, ଧରାପରାଗ-ପୃଥିବୀଧୂଳି, ଜୀବାତୁ-ଜୀବନ, ଜଙ୍ଗମ-ଚଳନ୍ତା, ଜଟାଧରପର-ଶିବଶତ୍ରୁ, କାମ; ଜୂରାଇ-ଜୂର କରି ବା ନଷ୍ଟ କରି, ଜଞ୍ଜାଳିଲେ-ବେଶି ଅଳି ବା ଗୋଳମାଳ କଲେ, କଳ୍ପିବାକୁ-ପ୍ରସ୍ତାବ କରିବାକୁ, ଜ୍ୟାଗୀର୍ବାଣ-ଭୂସୁର, ବ୍ରାହ୍ମଣ ।

 

ରାଗ-ବଙ୍ଗଳାଶ୍ରୀ

 

ଝୁମୁଝୁମୁ ନାଦ ଳଳିତାଙ୍କ ପାଦମଣ୍ଡନର ଶୁଣି ତୋଷେ,

ଝୁମିଝୁମି କାମ ଅମଳରେ ଶ୍ୟାମ ମିଳି କୁଞ୍ଜଦ୍ୱାରଦେଶେ ।୧।

 

ଝାଉଁଳିଲା ନବତମାଳ ପଳ୍ଲବ ଅବସ୍ଥା ଶ୍ରୀଅଙ୍ଗେ ରଖି,

ଝରିବାର ବାରି ନୟନୁ ନିବାରି ଜଳପିଲେ ପ୍ରିୟସଖୀ ।୨।

 

ଝିମିଟିକ କଳ୍ପ ଶତରୁ ଅନଳ୍ପ ହୋଇଲାଣି ଝୁରୁ ଝୁରି,

ଝସଧ୍ୱଜ - ଧନଞ୍ଜୟ ଝାସ ଜ୍ଞାନଲତାକୁ ଦେଲାଣି ସାରି ।୩।

 

ଝାଙ୍କିନେଇ ମନ - ମଣିକି ଯା ସ୍ତନ ସଂପୁଟରେ ରଖାଇଲୁ,

ଝଟତି ତା ରଦବାସରୁ ସୁଆଦ ମଧୁ ତ ନ ଚଖାଇଲୁ ।୪।

 

ଝାଳିଦେଲୁ ନାହିଁ ଝଳି ଚାନ୍ଦମୁହିଁ ଗଣ୍ଡକୁ ମୋ ଗଣ୍ଡେ ଥରେ,

ଝୁଲାଇ ନଦେଲି ରସକଳ୍ପବଲ୍ଲୀ ଊରୁମୂଳସ୍ଥଳ କରେ ।୫।

 

ଝୁମ୍ପା ଝାଲରିଆ ଅଳକ ତିଳକଶୋଭିନୀର କେଶ ବେଶେ,

ଝରା ଖଞ୍ଜି ବିମ୍ବଓଷ୍ଠେ ଶତ ଚୁମ୍ବ ରଚିବି କେବେ ହରଷେ ।୬।

 

ଝୁଣ୍ଟିଆ ବିଜୟ ବାଦ୍ୟେ ହରିହୟପଦବିଭୂତି ନିରତେ,

ଝୁଣ୍ଟି ଦେଇ ଯିବି କେବେ କବିରବି ରାୟଗୁରୁ ବୋଲେ ଗୀତେ ।୭।

 

(ଝ) ଟୀକା-ଲଳିତା କୁଞ୍ଜ ନିକଟରେ ଉପସ୍ଥିତ ହୁଅନ୍ତେ ଶ୍ରୀକୃଷ୍ଣ ତାଙ୍କୁ କହୁଅଛନ୍ତି: ପାଦମଣ୍ଡନ-ପାଦର ଅଳଙ୍କାର, ଝୁମିଝୁମି-ଘୁମାଇ ଘୁମାଇ, ଝିମିଟକ-ମୁହୂର୍ତ୍ତକ, କଳ୍ପଶତ-ଶତଯୁଗ, ଅନଳ୍ପ-ଅଧିକ, ଝସଧ୍ୱଜଧନଞ୍ଜୟ ଝାସ-କନ୍ଦର୍ପରୂପ ଅଗ୍ନିର ଦାହ, ସମ୍ପୁଟ-ଫରୁଆ, ଝଟତି-ଚଞ୍ଚଳ, ରଦବାସ-ଅଧର, ଝଳି-(ବିଶେଷଣ) କାନ୍ତିମତୀ, ଝୁଲାଇବା-ହଲାଇବା, ସଂଚାଳିତ କରିଦେବା; ରସକଳ୍ପବଲ୍ଳୀ-ରସକଳ୍ପଲତାରୂପିଣୀ, ଝୁମ୍ପାଝାଲରିଆ-କେଶର ଅଳଙ୍କାର, ଝରା-ଫୁଲପେଣ୍ଡା, ହରିହୟପଦବିଭୂତି-ଇନ୍ଦ୍ରତ୍ୱର ସଂପତ୍ତି।

 

ରାଗ-ବରାଡ଼ି

 

ନୟନେ ନିମିଷେ ନିଦ, ନ ରଖି ତ ମୁଁ ତୋ ପଦ - ମଞ୍ଜୀର - ଶିଞ୍ଜିତେ ଖଞ୍ଜି କାନ,

ନିରେଖି ବସିଛି ପଥ, ନ ପୂରୁ ମୋ ମନୋରଥ, ହୋଇଲୁ ତ ଦୁଃଖର ନିଦାନ ରେ,

ନତଦେହା, ନିର୍ଦ୍ଦୟତା ପ୍ରକଟ ହୋଇଲା, ନ କହିଲୁ ତ କନକ - ନିନ୍ଦା ନଉସନ୍ଧାଧିକ,

ଗଉରାଙ୍ଗୀ ଶୁଣିକି ବୋଇଲା ରେ ।୧।

 

ନଉକରଗଣେ ଜଣେ, କରି ମୋତେ ଅନୁକ୍ଷଣେ, ରଖିବାକୁ କଲାଟିକି ସହି,

ନିରାଶ ଭାରତୀ ଅବା, ଜଳପିଲା ନବ - ଜବା ଦଶନ - ବସନା ପ୍ରାଣସହୀ ରେ,

ନତଦେହା, ନିଃସଂଶୟ କରି କହ କହ, ନ ରଖିବାକୁ ନିର୍ଲ୍ଲଜ୍ଜ,

ପ୍ରାଣକୁ ମୁଁ ହେବି ସଜ, ଯେବେ ନାହିଁ ବାଳା ଅନୁଗ୍ରହ ରେ ।୨।

 

ନୀପ ନିକୁଞ୍ଜ ନିକଟ, ନଟନ କେଳିଲମ୍ପଟ ହୋଇ ହରୁଥିଲି ସୁଖେ କାଳ,

ନିର୍ଦ୍ଦୋଷରେ ବିନ୍ଧି ନେତ୍ର, ଅନିମିଷ କଙ୍କପତ୍ର, ଟାଳିଲା ମୋ ଜ୍ଞାନଲତା ମୂଳ ରେ,

ନତଦେହା, ନିର୍ଯାଣ ସମୟ ହେଲେ ଆସି, ନ ସଙ୍ଖୋଳି ଅକୀରତି,

ନେଲା ତ ରତିମୂରତି ନିଶାକରକର - ଦରହାସି ରେ ।୩।

 

 

 

 

 

ନବୀନ ନାଗରୀ ନନ୍ଦନନ୍ଦନ ମନ ଆନନ୍ଦ, ନଦୀ ବନେ ମଜ୍ଜାଇଲା ବୋଲି,

ନିଖିଳ ଲୋକେ ଏ ଗିର, ନଟୀକି ନଚାଇବାର,

ଯଶ ନ ରୁଚିଲା ଦେଲା ପେଲି ରେ, ନତଦେହା, ନିନ୍ଦା ଅରବିନ୍ଦାକ୍ଷୀ ପାଇଲା,

ନିର୍ଜରନଗରୀମଣିକୁଟ୍ଟିମେ ଚଢ଼ାଇ ପୁଣି ନିଃଶ୍ରେଣୀଟି କାଟି ପକାଇଲା ।୪।

 

ନବନୀତୁଁ ସୁକୁମାର, ଦିଶେ ହେଟି ରାମାର, ନିରପରାଧ ନିଷ୍ଠୁର ମନ,

ନାରୀକେଳ ଫଳଲୀଳା ଉରୋଜେ ବହିଛି ବାଳା,

ସେପରି ନୁହଇ ଅପଘନ ରେ, ନତଦେହା, ନ ଘେନିଲା ଦୁଃଖ ଲବେ ହେଲେ,

ନ ଘେନୁ ଘେନୁ ଶରଣ ତାହାର ଚାରୁଚରଣ କବିରବି ରାୟଗୁରୁ ବୋଲେ ରେ ।୫।

 

(ଞ) ଟୀକା-ଶ୍ରୀକୃଷ୍ଣ ଳଳିତାଙ୍କୁ କହୁଅଛନ୍ତି: ମଞ୍ଜୀର-ନୂପୁର, ଶିଞ୍ଜିତ-ଅଳଙ୍କାରଧ୍ୱନି, କନକନିନ୍ଦାନଉସଦ୍ଧାଧିକ-ସୁବର୍ଣ୍ଣକୁ ନିନ୍ଦା କରିବାରେ ଅଧିକ ନିପୁଣ (ନଉସନ୍ଧା-ନିପୁଣ), ନଉକର-ଚାକର, ସହି-ସ୍ୱୀକାର, ନିରାଶ ଭାରତୀ-ନୈରାଶ୍ୟପୂର୍ଣ୍ଣ କଥା, ନବଜବାଦଶନବସନା-ନୂତନ ମନ୍ଦାର ଫୁଲ ପରି ଅଧର ଯାହାର, ନୀପ-କଦମ୍ବ, ନେତ୍ରଅନିମିଷକଙ୍କପତ୍ର-ନିମିଷଶୂନ୍ୟ ଚକ୍ଷୁରୂପ ଶର, ନିର୍ଯାଣ-ପ୍ରାଣବାୟୁର ଦେହତ୍ୟାଗ, ନିର୍ଜରନଗରୀ-ଅମରାବତୀ, ମଣିକୁଟ୍ଟିମ-ରତ୍ନନିର୍ମିତ ପ୍ରସାଦ, ନିଃଶ୍ରେଣୀ-ନିଶୁଣି ବା ସିଢ଼ି, ଅପଘନ-ଦେହ, ନବନୀତୁଁ-ଲହୁଣିଠୁଁ ।

 

ରାଗ-ଦେଶାକ୍ଷ

 

ଟିକାକ ଦୋଷକୁ ରାମା କେଡ଼େ ରୁଷା ରୁଷିଲା ରେ ।ପଦ।

 

ଟୋପରେ ପକାଇ ରୋଷେ, ନିଗ୍ରହ ଶଲ୍ୟ ବିଶେଷେ,

ମୋ ସୁଖମୃଗକୁ ତ ସେ ଧରାଭୂଷା ଭୂଷିଲା ରେ ।୧।

 

ଟାକର ମାରି ମୋ ଆଶା, ମୁଣ୍ଡେ ଖଞ୍ଜରୀଟଦୃଶା,

ପରିପନ୍ଥୀ ଲୋକହସା, କରିବାକୁ ବସିଲା ରେ ।୨।

 

ଟିକିଏ ହେଲେ ବିବେକ, ନ କରି ସେବକ -

ବେକ କରତ ବୋଲି ଦର୍ପକ ଦାରୁଣକୁ ପେଷିଲା ରେ ।୩।

 

ଟମକ ଯେ ବାଜେ ବ୍ରଜ ବଜାରେ ଦୟାଳୁରାଜ ବୋଲି

ମୋ ଦଣ୍ଡରୁ ଆଜ, ଦାଣ୍ଡକୁ ଦିଶିଲାରେ ।୪।

 

ଟୋକୀଏ ଥିଲେ ଗହଣେ, ଟାକି ଉରୋଜ ଗ୍ରହଣେ,

ଟିପି ଦେଲି ନଖ ସେହି କଥାକୁ କି ଘୋଷିଲା ରେ ।୫।

 

 

 

 

ଟେକାନ୍ତା ବିବେକବତୀ ମଣ୍ଡଳେ ବଳକ୍ଷଛତି,

ବୋଲେ କବିରବି ସବୁ କ୍ରୋଧନଦେ ଭାସିଲା ରେ ।୬।

 

(ଟ) ଟୀକା-ଶ୍ରୀକୃଷ୍ଣ ଳଳିତାଙ୍କୁ କହୁଅଛନ୍ତି; ଟୋପରେ-ଖାଲରେ, ନିଗ୍ରହ-ତାଡ଼ନା (ଅନୁଗ୍ରହର ବିପରୀତ), ସେ ଧରାଭୂଷା-ସେହି ପୃଥିବୀର ଅଳଙ୍କାରରୂପିଣୀ, ଭୂଷିଲା-ଆଘାତ କଲା, ଟାକରା ମାରି-ଆଘାତ କରି, ପରିପନ୍ଥୀ-ଶତ୍ରୁ, ଦର୍ପକ-କନ୍ଦର୍ପ, ଟମକ-ଧେଣ୍ଡୁରା, ବଳକ୍ଷଛତି-ଧଳାଛତି ।

 

ରାଗ - ମୁଖାବରୀ

 

ଠଣ ଚନ୍ଦ୍ରମୁହିଁ ରେ ଠଉରିବି କେହି ରେ ।ପଦ।

ଠକ ମୁଁ ବୋଲେ ମାନସେ, ଠୁଳ କଲେ ଶଙ୍କା ଲେଶେ ।୧।

ଠ ବର୍ତ୍ତୁଳ ସ୍ତନେ ନଖ, ଠୁକିଲେ ହେଲେ ବିମୁଖ ।୨।

ଠାରି ନାହିଁ ନୟନାନ୍ତେ, ଠାକୁରଙ୍କ ରାଣ ମୋତେ ।୩।

ଠାଣେଦାର ରଣରଣ, ଠୋ କରି ନେବ ମୋ ପ୍ରାଣ ।୪।

ଠ ପରି ଜଗତ ଦିଶେ, ଠିକେ କବିରବି ଭାଷେ ।୫।

 

(ଠ) ଟୀକା-ଶ୍ରୀକୃଷ୍ଣ ଲଳିତାଙ୍କୁ କହୁଅଛନ୍ତି: ଠଣ-ଶୋଭା, ଠଣଚନ୍ଦ୍ରମୁହିଁ-ହେ ଶୋଭାପୂର୍ଣ୍ଣ ଚନ୍ଦ୍ରମୁଖି ! ଠଉରିବି-ସ୍ଥିର ହୋଇ ରହିବି, ଠୁଳ କଲେ-ଏକତ୍ର କଲେ, ଠାଣେଦାର-ଜମାଦାର, ଯେ ଜୋର୍ ପ୍ରକାଶ କରେ; ରଣରଣ-କନ୍ଦର୍ପ, ଠ ପରି-ଶୂନ୍ୟ ।

 

ରାଗ-କାନନଗୌଡ଼ା

 

ଡାକିଲା କୋକିଳା ଲୀଳା-ସୂନ-ଉପବନରେ

ଡମରୁରୁଚିରମଧ୍ୟା ଖେଳିଲା ମୋ ମନରେ ।ପଦ।

 

ଡାଳଲୋଳ କିଶଳୟ, କରେ କରି ଅଭିନୟ,

ନାଚିଲା ବଲ୍ଲରୀଚୟ ଚନ୍ଦନ ପବନରେ ।୧।

 

ଡଗରା ବୁଲୁଛି ସ୍ମର, ବିଷାଇ ବିଷମ ଶର,

ଧରିଛି ପରାଗ-ଗର ଘୁଁ-ବାକ୍ ଜୀବନରେ ।୨।

 

ଡାଳିମ୍ବବୀଜ-ରଦନା, ଏ ଦିନେ ହୋଇ ବିମନା,

କଲା ତ ଉତ୍ସବ ମନା ଳତିକା ଭବନରେ ।୩।

 

ଡିମ୍ବଚକିତ କୁରଙ୍ଗନୟନାର ନିକି ଭୃଙ୍ଗ-

ଉନ୍ମାଦ-ରବ ତରଙ୍ଗ ପଡ଼ୁ ନାହିଁ କାନରେ ।୪।

 

ଡ଼ରୁ ନାହିଁ କି ସେ ଭୀରୁ, ସ୍ମରକର-

କରତରୁ କବିରବି ରାୟଗୁରୁ ରଚିଲେ କବନରେ ।୫।

 

(ଡ) ଟୀକା-ଶ୍ରୀକୃଷ୍ଣଙ୍କ ରାଧାଗତ ଅନୁସ୍ମୃତି: ଲୀଳାସୂନ-ଉପବନରେ-କ୍ରୀଡ଼ାପୁଷ୍ପ ଉଦ୍ୟାନରେ, ଡମରୁରୁଚିରମଧ୍ୟା-ଡମରୁପରି ଯାହାର କଟି କ୍ଷୀଣ, କିଶଳୟ-ନୂଆପତ୍ର, ବଲ୍ଲରୀଚୟ-ଲତାସମୂହ, ଡଗରା-ଘୋଷଣାପ୍ରଚାରକ, ବିଷାଇ-ବିଷଯୁକ୍ତ କରି, ବିଷମ ଶର-ପଞ୍ଚବାଣ, ପରାଗଗର-ପୁଷ୍ପରେଣୁରୂପ ବିଷ, ଘୁଁ ବାକ୍-ଯେ ଘୁଁ ଘୁଁ ଶଦ୍ଦ କରେ ଅର୍ଥାତ୍ ଭ୍ରମର, ଡିମ୍ବ-ଶିଶୁ, କବନ-କବିତା ।

 

ରାଗ-ଶଙ୍କରାଭରଣ

 

ଢାଳି ଚାହିଁଲା ରେ , ଢାଙ୍କି ପକ୍ଷ୍ମ କି ଭଙ୍ଗୀରେ ରହିଲା ରେ ।ପଦ।

 

ଢବାତନାବୀଦେହଳୀ ସମୀପରେ ପ୍ରିୟଆଳୀ,

ସମାଜେ ବିରାଜି ବର ମହିଳା ରେ ।୧।

 

ଢୁଳାଇଲା ପରି କାମ-ଅମଳଲାଗିରୁ ଶ୍ୟାମ,

ଜଳଜନୟନେ ଲୀଳା ବିହିଲା ରେ ।୨।

 

ଢୁକାଇ ମୋ ଅପଘନ, ଶ୍ରୀଅଙ୍ଗରେ ତା ଅଧୀନ,

ହୋଇବାକୁ ସମୟ ନ ସହିଲା ରେ ।୩।

 

ଢୋକୁଟିଏ ତା ପଲ୍ଲବ, ଅଧରରୁ ମଧୁ ଦ୍ରବ,

ଢୋକିବା ବିବେକ ଲବ ନୋହିଲା ରେ ।୪।

 

ଢକା ପ୍ରକାଶନ୍ତା ମତେ, ଧନ୍ୟ ବୋଲି ଏ ଜଗତେ,

କବି-ଚିତ୍ରଭାନୁ ଗୀତେ କହିଲା ରେ ।୫।

 

(ଢ) ଟୀକା-ଶ୍ରୀକୃଷ୍ଣଙ୍କ ଅନୁଚିନ୍ତା: ପକ୍ଷ୍ମ-ଆଖିପତାବାଳ, ଢବାତନାବୀ-କୋଠାଘର ଝରକା, ଦେହଳୀ-ଚୌକାଠର ତଳଭାଗ, ଢୁଳାଇଲା ପରି-ଘୁମାଇଲା ପରି, କାମଅମଳଲାଗିରୁ-କନ୍ଦର୍ପରୂପ ମାଦକଦ୍ରବ୍ୟର ନିଶାରୁ, ଶ୍ୟାମଜଳଜନୟନେ-ନୀଳଇନ୍ଦୀବର ନେତ୍ରରେ, ଢୁକାଇ-ସଂଯୋଜିତ କରି ବା ପ୍ରବେଶ କରାଇ, ଅପଘନ-ଦେହ, ଚିତ୍ରଭାନୁ-ସୂର୍ଯ୍ୟ ।

 

ରାଗ-ପୂରବୀ

 

ଅନାଇ ନାହିଁ ନାଗରମଣିକି ମୁଁ ଢାଳେ ।ପଦ।

 

ଅନେକ ପ୍ରକାରେ ପ୍ରେମ, ଆଚରେ ଅତସୀଶ୍ୟାମ,

ଅଙ୍ଗୀକାର କରି ନାହିଁ କାଳେ ।୧।

 

ଅହିତ ଜନ ନ ସହେ, ଅପବାଦ କଥା କହେ,

ଅଛି ଏହା ଲେଖା ମୋ କପାଳେ ।୨।

 

ଅମୃତ ବାଣୀ ବିଳାସେ, ଅନଙ୍ଗ ମୋହନ ବେଶେ,

ଉପବନ ଅୟନ ଓଗାଳେ ।୩।

 

ଆଉ କେତେ କେତେବେଳେ, ଅମ୍ଳାନ କେତକୀଦଳେ,

ଅରଜି ବନାଇ ବନୁ ଚାଳେ ।୪।

 

ଅତର୍କିତ ଜାଣି କାଳ, ଅଙ୍କିତ କରେ ମୋ ଗଳ,

ଆପଣେ ଗୁନ୍ଥିବା ଫୁଲମାଳେ ।୫।

 

 

ଅଙ୍ଘ୍ରିକି ମୋ କବିଭାନୁ, ଅଟକି ଭଜିବା ଦିନୁ,

ଅଲଙ୍ଘ୍ୟ କରି ମୁଁ ପରିପାଳେ ।୬।

 

(ଣ) ଟୀକା-ରାଧା ଲଳିତାଙ୍କୁ କହୁଅଛନ୍ତି; କାଳେ-ଥରେ, ଅତସୀଶ୍ୟାମ-ଅତସୀ (ଫେସି) ଫୁଲପରି ଶ୍ୟାମଳବର୍ଣ୍ଣ, ଅହିତଜନ-ଭଗାରିମାନେ, ଉପବନ ଅୟନ ଓଗାଳେ-କୁଞ୍ଜବନକୁ ଯିବା ବାଟର ଆଢ଼ୁଆଳରେ, ଅରଜି-ପ୍ରେମପୂର୍ଣ୍ଣ ନିବେଦନପତ୍ର, ଅଙ୍ଘ୍ରି-ପାଦ, କବିଭାନୁ-କବିସୂର୍ଯ୍ୟ ।

 

ରାଗ–କଳହଂସକେଦାର

 

ତମାଳତଳେ ନ ଚାଲେ ରେ ଅଭିନ୍ନା, କେତେ ଦୂର ଯାଏ କାହିଁ ।

ତିଳକୁ ତାଳକ ତୁଲ୍ୟ କଲେ ଲୋକ ତଥ୍ୟ ମରୁଥାଉ ତାହିଁ ।୧।

ତରକିବା କଥା ତ୍ରିକାଳେ ସର୍ବଥା ତତ୍ତ୍ୱ ତୁ ଘେନିବୁ ନାହିଁ ।୨।

ତୁ ତ ସୁବିବେକୀ, ତୁଳ ମୁଁ କେବେ କି, ତହିଁ ଥିବି ଅବଗାହି ।୩।

ତପନେ ଶୀତିମାଆଙ୍କ ଦିଅନ୍ତି ମା ତୁଚ୍ଛା ଲୋକନାମେ ବାହି ।୪।

ତୁଟାଏ କି ଜାତି ତୁଣ୍ଡର ପୀରତି ତାମସା ଟାପରା ଟାହି ।୫।

ତତ୍ତ୍ୱ ଜାଣେ କବିତରଣି ତା ଭାବି ତଲାସ ଯେ ଯାକୁ ନାହିଁ ।୬।

 

(ତ) ଟୀକା-ରାଧା ଲଳିତାଙ୍କୁ କହୁଅଛନ୍ତି; ତମାଳତଳେ ନ ଚାଲେଁ ରେ ଅଭିନ୍ନା-ହେ ଅଭିନ୍ନହୃଦୟା, କୃଷ୍ଣଙ୍କ ରୂପ ସଙ୍ଗେ ସାମ୍ୟ ଥିବାରୁ ମୁଁ ତମାଳଗଛ ତଳରେ ମଧ୍ୟ ଚାଲେ ନାହିଁ, ତୁଳ-ତୁଳନା କର, ତପନେ ଶୀତିମାଆଙ୍କ-ଏ ସଂସାରେ ଏପରି ଲୋକ ଅଛନ୍ତି ଯେଉଁମାନେ ସୂର୍ଯ୍ୟତେଜରେ ମଧ୍ୟ ଶୀତଳତା ଦୋଷ ଆରୋପ କରିପାରନ୍ତି, ଟାହି-ଥଟା, କବିତରଣି-କବିସୂର୍ଯ୍ୟ-

 

ରାଗ-ଧନାଶ୍ରୀ

 

ଥରେ ଏକାନ୍ତରେ ସିନା କହିଥିଲି ସହୀକି,

ସ୍ଥାପିତ ନ କରି ଦୁର୍ଜନଙ୍କ ଆଗେ କହି କି ।ପଦ।

 

ଥିଲାଠାରେ ବିଶ୍ୱାସ କପଟ ପାରେ ରହିକି,

ଥୋଇବା ହୃଦୟେ ଖ୍ୟାତି ପୂର୍ଣ୍ଣ କରେ ମହୀ କି ।୧।

 

ସ୍ଥାବର ଜଙ୍ଗମେ ଶ୍ୟାମ କାହା ହୃଦେ ନାହିଁ କି,

ଥିଲା ମୋ ଲଲାଟପଟେ ଏ ଅଯଶ କାହିଁକି ।୨।

 

ଥାପିପଣ ଥିବାର ସଜ୍ଜନଗୁଣ ଏହିକି,

ସ୍ଥାୟୀ କଲି ବିଷାର୍ଜନ କ୍ଷୀର ଦେଇ ଅହିକି ।୩।

 

ସ୍ଥିର ପୀରତିବଲ୍ଲୀକି ଦମ୍ଭାନଳେ ଦହିକି,

ସ୍ଥଳଆଳୀମାନଙ୍କର ଏ ଦ୍ଵେଷକୁ ମୁହିଁ କି ।୪।

 

ସ୍ଥିରାଚକ୍ରେ ଜରଣ ବୋଲି ଜାଣଇ ସୁମୁହୀଁକି,

ଥରୁଥାଏଁଟି ମୁଁ କବିରବି ସାକ୍ଷୀ ତହିଁକି ।୫।

 

 

 

 

(ଥ) ଟୀକା-ରାଧା ଲଳିତାଙ୍କୁ କହୁଅଛନ୍ତି: ସ୍ଥାପିତ ନ କରି-ହୃଦୟରେ ଲୁଚାଇ ନ ରଖି (ଗ୍ରାମ୍ୟ ପ୍ରୟୋଗ) । ଥୋଇବା ହୃଦୟେ-ଯେ ନିଜ ହୃଦୟରେ ବିଶ୍ୱାସକୁ ସ୍ଥିର କରି ରଖେ, ଅହିକି-ସର୍ପକୁ, ପ୍ରୀତିବଲ୍ଲୀ-ପ୍ରୀତିରୂପା ଲତା, ଦମ୍ଭାଳନ-ଛଳନାରୂପ ଅଗ୍ନି, ସ୍ଥିରାଚକ୍ର-ପଣ୍ଡିତାସମୂହ ।

 

ରାଗ-ହସନ୍

 

ଦରହାସି, ଦମ୍ଭତୋୟମୟ ଜଳରାଶି ରେ ।ପଦ।

 

ଦୂରୁ ହେଲେ ନଟବର, ଦେଖା କେଭେ ନାହିଁ ତୋର,

ଦଶନବ୍ରଣ ଅଧର ଦଳେ ବିଳସେ କାହାର,

ଦୟାବତି, ତୁ କେଡ଼େ ସାହାସୀ ରେ ।୧।

 

ଦର୍ପକଦର୍ପଦଳନ, ଦିବ୍ୟ ପରିମଳ ଧନ,

ଦେହରେ ଦୋର୍ମୂଳେ ସ୍ତନଦ୍ୱୟରେ ନଖଲାଞ୍ଛନ,

ଦଇବ କି, ଦେଇଗଲା ଆସିରେ ।୨।

 

ଦିବାନିଶି ତ ମୁଁ ତୋର, ଦେହ ବହିଲୁ ଯେ ପର,

ଦିନେଶତନୟା ତୀର, ଦ୍ରୁମଦୋହଦ ନିକର,

ଦରବାରେ, ହେଲୁଣି ଦୋଭାଷୀ ରେ ।୩।

 

ଦୁଇ ଚରଣସାରସେ ଦେବାର ଶିଖଣ୍ଡ ଶେଷେ,

ଦେଖିଲି ଯାବକ ରସେ, ଦୋଷ କି କିଶୋରର ସେ ,

ଦ୍ରବି କବିରବି ଅଛି ଭାଷି ରେ ।୪।

 

 

 

(ଦ) ଟୀକା-ସଖୀ ରାଧାଙ୍କୁ କହୁଅଛନ୍ତି; ଦମ୍ଭତୋୟମୟ ଜଳରାଶି-ଛଳନାରୂପକ ଜଳପୂର୍ଣ୍ଣ ସମୁଦ୍ର ଅର୍ଥାତ୍ ତୁ ବଡ଼ କପଟାଚାରିଣୀ । ଦର୍ପକ ଦର୍ପଦଳନ-କନ୍ଦର୍ପଗର୍ବ-ଖର୍ବକାରୀ, ପରିମଳ-ସୁବାସ, ଦୋର୍ମୂଳ-ବାହୁମୂଳ; ଦିନେଶତନୟା-ଯମୁନା, ଦୋହଦ-ଅଭିଳାଷ, ଦୋଭାଷୀ-ମିଥ୍ୟାବାଦିନୀ, ଯାବକରସ-ଅଳତାରସ, ଚରଣସାରସ-ପାଦପଦ୍ମ ।

 

ରାଗ-କେଦାର

 

ଧିକ ଧିକ ମନ୍ଦବିଧି ଅପସନ୍ଦ ନାରୀଜନ୍ମ ନ ନିବାରିବାର,

ଧିକ ଅବିବେକ ମୋ ପରି ଗୁଡ଼ାକ କେଡ଼େ ନିର୍ଲ୍ଲଜ୍ଜ ସେ ପାରିବାର ।ପଦ।

 

ଧମକ ସ୍ଫୁରଣ ହୁଅନ୍ତେ ତରୁଣଚରଣୁ ଅନ୍ୟକୁ ନ ଲଭି ଶରଣ ଗୋ,

ଧୂର୍ତ୍ତ ଆଚରଣ ଧୁରନ୍ଧର ଗୁଣ ଚାଟୁ କ୍ଷଣରେ ବାହାରିବାର ।୧।

 

ଧାଇଁ ଧାଇଁ ଦୂତୀମନ୍ଦିରକୁ ରାତି ପଦେ ଲାକ୍ଷାଦ୍ୟୁତି ନ ଲଭଇ ସ୍ଥିତି,

ଧାତାବଶୁଁ ପ୍ରୀତି ଘଟିଲେ ଉନ୍ନତି ବହି ଚେଳାଞ୍ଚାଳ ମାରିବାର ।୨।

 

ଧରି ଧନୁର୍ବାଣ ସ୍ମର ସତେ ପ୍ରାଣ ନେବା ପରି ଡରି ଧରି ଦନ୍ତେ ତୃଣ,

ଧରାରେ ତରୁଣ - ଶିର ଆଭରଣ ଲୁଟାଇଲେ ନ ପଚାରିବାର ।୩।

 

ଧରି ଧରି ବଳେ କରୁଥିଲେ କେଳେ ଧରାଧରୁଁ ବଳେ ଧଇର୍ଯ୍ୟ ନିଶ୍ଚଳେ,

ଧାନେ ଊଣା ତୁଳେ ହେଲେ ସ୍ନେହଖେଳେ କ୍ଷଣକ ବିନୟ ଚାରି ବାର ।୪।

 

ଧନ୍ୟ ଧୃତିସାର ସୁପୁରୁଷଙ୍କର ପ୍ରସାଦୁ ସଂଭୂତ ସେ ଶଙ୍କରଙ୍କର,

ଧରଣୀନିର୍ଜର କବିରବି ଛାର ଗୁଣି ତାଙ୍କୁ ନ ଜୁହାରିବାର ।୫।

 

 

 

(ଧ) ଟୀକା-ରାଧା ଲଳିତାଙ୍କୁ କହୁଅଛନ୍ତି; କେଡ଼େ ପାରିବାର-କେଡ଼େ ସାହାସିକ, ଲାକ୍ଷାଦ୍ୟୁତି-ଅଳତାରକ୍ତିମା, ଚେଳାଞ୍ଚଳ ମାରିବାର-କାନି ପଣତରେ ନିଷେଧ କରିବା, ଚାରି ବାର-ଚାରି ଥର, ତରୁଣଶିର ଆଭରଣ-କୃଷ୍ଣ, ଧରାରେ ଲୁଟାଇଲେ-ପୃଥିବୀରେ ଗଡ଼ିଲେ, ଶଙ୍କରଙ୍କର-ମଙ୍ଗଳମୟ ଶିବଙ୍କର, ଧରଣୀନିର୍ଜର-ବ୍ରାହ୍ମଣ ।

 

ରାଗ - ସିନ୍ଧୁକାମୋଦୀ

 

ନାହିଁ ନାହିଁ ନିଖିଳ ଜଗତେ ଗୋ ନ ଦିଶଇ ଉପମାନ,

ନବ ନୀରଦ ନୀଳମଣି ଅତସୀଶ୍ୟାମସୁନ୍ଦର ସମାନ ଗୋ ।ପଦ।

 

ନିରେଖୁଥାଇ ଏ ନଗରେ ଯେ ନିତି ବରତରୁଣଙ୍କ ଶିରୀ,

ନୟନକୁ ଲେଶେ ନ ରୁଚଇ ତ ସେ ନୂଆ ନାଗରଙ୍କ ପରି ।୧।

 

ନତନୁ ନିବହ ଭଜି ଯେବେ ଦେହ ନାନା ବିଳାସ ରହିବ,

ନଳିନ-ପେଶଳ ତା ଚରଣତଳ ନିଉଁଛାଳି ଭଳି ହେବ ।୨।

 

ନତ ନୋହିବା କୁଳଜାତ ନବୋଢ଼ା ନ ରସି ପଶିବ କାହିଁ,

ନକ୍ଷତ୍ରନାଥ - ନିକୁରମ୍ବବିଜୟ - ସନ୍ନଦ୍ଧ ଶ୍ରୀମୁଖ ଚାହିଁ ।୩।

 

ନର୍ମେ ମର୍ମଭେଦୀ ଚିଲ୍ଲୀ ଚାରୁଚାପ ନଚାଇ ଜଣାଇ ସେହି,

ନିଃଶେଷ ତ ବାଲ୍ୟ ନୋହିବାରେ ତୁଲ୍ୟ ତାର ଲୋକେ ନାହିଁ କେହି ।୪।

 

ନିନ୍ଦିଲେ ନିନ୍ଦିବେ ନରେ ପଛେ ଏବେ ନିଶ୍ଚୟ କହୁଛି ଜାଣ,

ନ ଚୁମ୍ବିଲେ ତାର ମଧୁର ଅଧର ନ ଠଉରଇ ମୋ ପ୍ରାଣ ।୫।

 

 

 

ନୋହିବୁ ଯେବେ ତୁ ଏ ଘଟନା ହେତୁ ତୋ ନାମେ ତେଜିବି ଦେହ,

ନିୟମ କରି କହୁଛି କବିରବି ଏଥି ନ ଘେନ ସନ୍ଦେହ ।୬।

 

(ନ) ଟୀକା-ରାଧା ସଖୀଙ୍କୁ କହୁଅଛନ୍ତି; ନବନୀରଦ-ନୂଆ ମେଘ, ଅତସୀ-ଫେଶି ଫୁଲ, ନତନୁନିବହ-ଅନେକ କନ୍ଦର୍ପ, ନଳିନପେଶଳ-ପଦ୍ମପରି କୋମଳ ବା ସୁନ୍ଦର, ନିଉଁଛାଳି-ବନ୍ଦାପନା, ନବୋଢ଼ା-ନବଯୁବତୀ, ନକ୍ଷତ୍ରନାଥ-ଚନ୍ଦ୍ର, ନିକୁରମ୍ବ-ସମୂହ, ବିଜୟସନ୍ନଦ୍ଧ-ଜୟ କରିବାକୁ ଉଦ୍ୟତ, ନର୍ମେ-କୌତୁକରେ, ଚିଲ୍ଲୀ-ଭ୍ରୁ।

 

ରାଗ-ମନୋରମା

 

ପ୍ରୀତିପରି କେ ସୁଆଦ ଗୋ,

ପୀୟୂଷ ତୁଲେ ଯା ବାଦ ଗୋ ।ପଦ।

 

ପହିଲୁ ଗଞ୍ଜାଇ ଗରବ ଗଞ୍ଜାଇ ସମ୍ଭବାଏ ପରମାଦ,

ପର୍ବଶର୍ବରୀଶ - କରନିକରକୁ ବଳେ ତାହା ଆହାଲାଦ ଗୋ ।୧।

 

ପଡ଼ିଗଲେ କାନେ ଜନ୍ମାଏ ବିବେକ ହଜାଇ ଦେବା ଉନ୍ମାଦ ଗୋ,

ପ୍ରିୟଜନ ଯିବା ଆସିବା ସମୟ ଚରଣମଣ୍ଡନ ନାଦ ଗୋ ।୨।

 

ପୁଷ୍ପଶରସିନ୍ଧୁ କେଳିତରୀ କି ସେ ପଛରୁ ପେଲିବା କାଦ,

ପସନ୍ଦ ତାହାକୁ ଅରଜିବା ପାଇଁ ଧଇଲେହେଁ ନୀଚ ପାଦ ଗୋ ।୩।

 

ପ୍ରାପତ ନୁହେ ସେ ପ୍ରାଣୀକି ନ ଥିଲେ ପରମେଶ୍ୱର ପ୍ରସାଦ ଗୋ,

ପୟଃପରିଣତ ମଧୁରସା ସିତ ଶର୍କରା କେତେ ବେଷାଦ ଗୋ ।୪।

 

ପରିପନ୍ଥୀ ରୀତି କରି ଯେଉଁ ସତୀ ଆପାଦିଛି ପରିବାଦ ଗୋ,

ପୃଥ୍ୱୀଦେବ କବିରବି ରାୟଗୁରୁ ବୋଲେ କରୁ ଫରିଆଦ ଗୋ ।୫।

 

 

 

 

(ପ) ଟୀକା-ଲଳିତା ରାଧାଙ୍କୁ କହୁଅଛନ୍ତି; ପୀୟୂଷତୁଲେ-ଅମୃତ ସଙ୍ଗେ, ଗଞ୍ଜଇ-ମାଦକଦ୍ରବ୍ୟ, ପର୍ବଶର୍ବରୀଶକରନିକର-ପୂର୍ଣ୍ଣିମାର ଚନ୍ଦ୍ରକିରଣସମୂହ, କାଦ-କାତ, ପୟଃପରିଣତ-ଦୁଧରେ ଦ୍ରବୀଭୂତ, ମଧୁରସା-ଦ୍ରାକ୍ଷା ।

 

ରାଗ-ରେଗୁପ୍ତ

 

ଫେରି ଯା ଗଲେ ଗୋ,

ସଖି ଫାଟିଲା ମୋ କରମ ଜାଣିଲି ଭଲେ ।ପଦ।

 

ଫୁଟିଲା ଫୁଲବାସେ ପୂରନ୍ତା କ୍ଷିତି,

ଫତୁରୀ ଶୁଣି କିପାଁ କଲି ଏ ରୀତୀ ଗୋ ।୧।

 

ଫରୁଆ ଗର୍ଭୁ ଫେଇ ନିର୍ଦ୍ଦୋଷ ମଣି,

ଫିଙ୍ଗି ଯା ଦେଲି ରୋଷେ ସଦୋଷ ମଣି ଗୋ ।୨।

 

ଫୁଲିଗଲି ମୁଁ ଚାଟୁ ଶୁଣି ମଦରେ,

ଫୁଲଲଲାମ ମର୍ଦ୍ଦି ଦେଲି ପାଦରେ ।୩।

 

ଫୁଲ୍ଲପଙ୍କଜ ମୃଦୁ ସୁନ୍ଦର ପାଦ,

ଫାଟୁ ଯେ ଥିବ ଲଭି ସଂଚାର ଖେଦ ।୪।

 

ଫନ୍ଦା ଧବ ଯେ ଫିଙ୍ଗି ଦେଲି ପାଣିକି,

ଫୁରୁଣା ହେବି କାହା ଘେନି ଏଣିକି ।୫।

 

 

 

ଫେଇ ଦିଅନ୍ତି କଣ୍ଠୁ ଏ ମଣିହାର,

ଫନ୍ଦାଇ ପାରିବ କି କବି ମିହିର ।୬।

 

(ଫ) ଟୀକା-ରାଧା ଲଳିତାଙ୍କୁ କହୁଅଛନ୍ତି; ଫତୁରୀ-ହତଭାଗୀ, ଫୁଲଲଲାମ-ପୁଷ୍କନିର୍ମିତ ଭୂଷଣ, ଫୁଲ୍ଲ-ଫୁଟନ୍ତା, ଫୁରୁଣା-ଭାଗ୍ୟବତୀ, ଫନ୍ଦାଇ ପାରିବ-ମଙ୍ଗାଇ ପାରିବ ।

 

ରାଗ - ମୁଖାବରୀ

 

ବିଧାତା କି କଲା ରେ, ବ୍ୟର୍ଥେ ଦିନ ଗଲା ରେ, ବାରବାର ମଦବାରଣବରଗତି, ରତିରସବିଦ୍ୟା -

ତରଙ୍ଗିଣୀପତି, ଗୁମାନ ଧରି ସରି ଯାଉଛି ଉଚିତ କି ନିକୁଞ୍ଜମହୀ ମଣ୍ଡିବା ସମୟରେ ।ପଦ।

 

ବେଶେ କରିବାକୁ ତୋରା, ବନାଉ ଅଛି ମୁଁ ଝରା,

ବସିଛି ଦୁଃଖପାସୋରା, ବାଢ଼ି ବିରସପସରା ।୧।

 

ବିମ୍ବୋଷ୍ଠେ ଚୁମ୍ବିବା ଆଶେ, ବିନୟେ ମିଳିଲି ପାଶେ,

ବଦନକୁ ମହିଳା ସେ, ବର୍ଜିତ କରିଛି ହାସେ ।୨।

 

ବାଧୁଥିଲେହେଁ ଦୁର୍ଜନେ, ବୁଡ଼େ ମୋ ସ୍ନେହ ମଜ୍ଜନେ,

ବୋଧିଲେ ତ ଏବେ ମନେ, ବିବେକନିଧି ନ ଘେନେ ।୩।

 

ବନ୍ଧୁ ମୋ ଶିରୀଷଅଙ୍ଗୀ, ବକ୍ରବିଷମଅପାଙ୍ଗୀ,

ବସନ୍ତବିହାରସଙ୍ଗୀ, ବଡ଼ାଇ ଦେଲା କେ ଭଙ୍ଗୀ।୪।

 

ବିସ୍ମୟ ଜନ୍ମେ ମୋ ଚିତ୍ତେ, ବନମାଳା ସଖି ମୋତେ,

ବିସ୍ମରି ଦେଲା କେମନ୍ତେ, ବୋଲେ ବଳଦେବ ଗୀତେ ।୫।

 

 

 

 

(ବ) ଟୀକା-ଶ୍ରୀକୃଷ୍ଣଙ୍କର ଭାବନା; ମଦବାରଣବରଗତି-ମତ୍ତଗଜଗମନା, ବାରବାର-ଥରକୁ ଥର, ରତିରସବିଦ୍ୟା-ତରଙ୍ଗିଣୀପତି-ରତିରସବିଦ୍ୟାରୂପ ନଦୀର ପତି ଅର୍ଥାତ୍ ସମୁଦ୍ର-। ଝରା-ପୁଷ୍ପଭୂଷଣ, ପସରା-ଦୋକାନ, ବାଧୁଥିଲେ-ବାଧା ଦେଲେହେଁ, ଶିରୀଷଅଙ୍ଗୀ-କୋମଳାଙ୍ଗୀ ।

 

ରାଗ-କାମୋଦୀ

 

ଭୂଲୋକର ଭର୍ମଭୂଷା ଯୋଷା ରତନ ରସଳସା ସେ, ଭଙ୍ଗୁର ତରାଳକଠାଣି, ଭର୍ଗ ଅହିତ ମାର୍ଗଣ ଶତ ସମ୍ମୋହନ ଚାହାଣି, ଭାବତୁନ୍ଦିଳ କେଳିକୋକିଳ, କଳକୂଜନ ବାଣୀ, ଭାରୀ ନିତମ୍ବ ବିମ୍ବ ଉରଜା, ବାରିଜନେତ୍ରା, ନାଗରୀରାଜା, ବଲ୍ଲଭା ମୋର ରଙ୍ଗ ସୁନ୍ଦର ପଲ୍ଲବସାରପାଣି ।୧।

 

ଭଲା ତା ଲୀଳାଚଞ୍ଚଳା ଡୋଳା ଅପାଙ୍ଗପ୍ରାଙ୍ଗଣଖେଳା, ପସନ୍ଦ କୁନ୍ଦ ସୁନ୍ଦର ମନ୍ଦହାସ, ଭ୍ରୂଯୁଗଖେଳ ଚପଳ, ନୀଳଭୁଜଙ୍ଗିନୀ ସଂକାଶ, ଭୟାଭିନୟ ଦୟା ବିନୟ ନୟନ ଫରମାସ, ଭିତ୍ତିରେ ଲେଖି ମୋ ବଦନ, ଚୁମ୍ବନେ ବଳାଇ ମନ, ଚାହିଁ ମୋତେ, କି ସ୍ନେହସ୍ମିତେ ଠାରେ ଦଶନବାସ ।୨।

 

ଭରତକୃତ ସିଦ୍ଧାନ୍ତ ମତ ସଙ୍ଗୀତ କଳା ସମ୍ପତ୍ତି ନୁତ, ନବୀନ ବନରୁହ ବିପିନିଭୃଙ୍ଗୀ, ଭାରତୀଙ୍କର ସାର ଭଣ୍ଡାର, ଲୁଣ୍ଠନ ଖାନାଜଙ୍ଗୀ, ଭୂଷଣତତି ଶୋଭା ସମ୍ପତ୍ତି, ଜନନ ଚତୁରାଙ୍ଗୀ, ଭିଦୁରପାଣି ନୀଳମଣିକୁନ୍ତଳ କୃତଚାରୁବେଣୀ, ବିମ୍ବସତବିମ୍ବ ରଦନଅମ୍ବରା, ପ୍ରାଣସଙ୍ଗୀ ।୩।

 

ଭଜନ ଇଷ୍ଟମନ୍ତ୍ର କାରିକା ଭାବିନୀ ସେ ମୋ ଜୀବିକା ବିକା, ମୋ ଦେହ ତାହାରି ସ୍ନେହ ଧନେ, ଭଗାରିଜନ ବଦନ ମ୍ଳାନ ହୁଏ ତା ଅବଧାନେ, ଭୂମିରେ କାହିଁ ଶରଣ ନାହିଁ ତାହା ବାହାରେ ଆନେ, ଭରସା ସାର ସେହି ମୋହର ଭଲ ହୋଇବା ଭାଲାକ୍ଷର କାହିଁ ରୂପ କିଶୋରୀ ଉପମାନେ ।୪।

 

 

 

 

 

ଭୃତ୍ୟବତ୍ସଳା, ନୃତ୍ୟକୁଶଳା, ଦାସୀ ଅନୁରାଗଶୀଳା, କୁଞ୍ଜନିଳୟପୁଞ୍ଜ ମଞ୍ଜୁଳଖେଳା, ଭୂତେଶପରଶର ବିକାର କୀଲାଲନିଧି ଭେଳା, ଭୂତାନୁକମ୍ପା, ଜଳଧିଶମ୍ପାଗୋରୀ ଆନୀଳଚେଳା, ଭାଷଇ କବିମିହିର ଭାବି ବ୍ରଜରାଜନନ୍ଦନ ଗାନ୍ଧର୍ବୀ ଚାରିପଦବାରିରୁହରେ କରି ମାନସମେଳା ।୫।

 

(ଭ) ଟୀକା-ଶ୍ରୀକୃଷ୍ଣଙ୍କର ଅନୁଚିନ୍ତା; ଭୂଲୋକର ଭର୍ମଭୂଷା-ପୃଥିବୀର ସ୍ୱର୍ଣ୍ଣ ଅଳଙ୍କାର ସଦୃଶା । ଭର୍ଗଅହିତ-କନ୍ଦର୍ପ, ମାର୍ଗଣ-ବାଣ, ଭରତ-ସଙ୍ଗୀତଶାସ୍ତ୍ରର ଆଚାର୍ଯ୍ୟ, ନୁତ-ପ୍ରଶଂସିତ, ବନରୁହବିପିନ-ପଦ୍ମବନ, ଖାନାଜଙ୍ଗୀ-ଜମାଦାର, ଭାଲାକ୍ଷର-ଅଦୃଷ୍ଟ ଲିପି, ଭୂତେଶପର-କନ୍ଦର୍ପ, କୀଲାଲନିଧି-ସମୁଦ୍ର ।

 

ରାଗ-ଶୋକକାମୋଦୀ

 

ମନ୍ଦହାସି ଯିବା ଆସ ରେ ।ପଦ।

ମହେନ୍ଦ୍ରମଣି ମୂରତି ପୁଣି ମନେ ସଂକଳ୍ପିଛନ୍ତି ରାସରେ ।୧।

ମୁରଲୀଯନ୍ତ୍ରୀ ମୋହନମନ୍ତ୍ର ମୋହି ନେଲାଣି ମୋ ମାନସରେ ।୨।

ମୃଦୁଲଳିତ ମଧୁରଗୀତ ମନା କଲାଣି କୁଳତ୍ରାସ ରେ ।୩।

ମାତି ସସ୍ନେହେ ମୁକୁନ୍ଦଦେହେ ମିଶି ଖଞ୍ଜିବା ବାହୁ ପାଶରେ ।୪।

ମୁଖୁ ତାହାର ମରନ୍ଦାହାର ମାଗ ଦଶନେ ଧରି ଘାସ ରେ ।୫।

ମହା ପ୍ରଚଣ୍ଡ ମଦନକାଣ୍ଡ ମୁନେ ହେବଟି ପ୍ରାଣ ନାଶ ରେ ।୬।

ମହୀଗୀର୍ବାଣେ ମୁଖ୍ୟ ଯେ ଭଣେ ମାନସୁ କଲା ଫରମାସ ରେ ।୭।

 

(ମ) ଟୀକା-ଳଳିତା ରାଧାଙ୍କୁ କହୁଅଛନ୍ତି; ମହେନ୍ଦ୍ରମଣି ମୂର୍ତ୍ତି-ଇନ୍ଦ୍ରନୀଳମଣିକାନ୍ତିଧାରୀ, କୁଳତ୍ରାସ-ବଂଶମର୍ଯ୍ୟାଦାଜନିତ ଭୟ, ମରନ୍ଦାହାର-ମକରନ୍ଦରୂପ ଖାଦ୍ୟ, ଘାସ-କୁଟା, ମହୀଗୀର୍ବାଣ-ବ୍ରାହ୍ମଣ ।

 

ରାଗ - ବରାଡ଼ି

 

ଯଦୁମଣି ଯିବେ ପୁଣି ଯାମିନୀ ନ ସରେ ଆଉ ନାହିଁ ନାଡ଼ି ।ପଦ।

ଯନ୍ତର କି ଜାଣୁ ଯେବେ, ଯେମନ୍ତେ ହୋଇଲେ ଜବେ, ଯାତ୍ରା ଅନୁକୂଳମୂଳ ଦେ ଉପାଡ଼ି ।୧।

ଯୁଗ୍ମ ନୋହିଥିଲେ କ୍ଷଣେ, ଯୁଗୁଁ ମୁଁ ଅଧିକ ମଣେ, ଯୁବଚନ୍ଦ୍ର ତ ଆମ୍ଭର ଲାଗି ଶାଢ଼ୀ ।୨।

ଯମରୁ ଦାରୁଣ ମାରଯବନଶର ପ୍ରହାର, ଯାତନାକୁ କେ ଆମ୍ଭର ଦେବ ଆଡ଼ି ।୩।

ଯୁବତିନେତ୍ର-ଅଞ୍ଜନ, ଯାମଳତରୁଭଞ୍ଜନ, ଯେବେ ଯିବେ ନୋହିବେଟି କେ ଆଗାଡ଼ି ।୪।

ଯତ୍ନେ କବିରବି ବୋଲେ, ଯୋଗ ଥିଲା ଏ କି ଭାଲେ, ଯାବନ୍ତ ତେଜିବା ତହିଁ କରତାଡ଼ି ।୫।

 

(ଯ) ଟୀକା-ଲଳିତାଙ୍କୁ ରାଧା କହୁଅଛନ୍ତି; ନାଡ଼ି ନାହିଁ-ଜ୍ଞାନ ନାହିଁ, ଜବେ-ଶୀଘ୍ର, ଆଡ଼ିଦେବା-ବ୍ୟର୍ଥ କରିଦେବା, ଆଗାଡ଼ି-ଅଗ୍ରଗାମୀ ।

 

ରାଗ-ମୁଖାବରୀ

 

ରାମାବର ରେ, ରୋଷ ବହିଲୁ କି ନଉକରରେ,

ରଦନର ବ୍ରଣ ଦେଖି ଦରପଣ ବିମ୍ବରେ ଦଶନାମ୍ବରରେ ।ପଦ।

 

ରୁଦ୍ରାଣୀଙ୍କ ବ୍ରତ, ଦିନେ ସନ୍ତପତ, ହୋଇ ମନମଥଜ୍ଵରରେ,

ରମ୍ଭା ସମ୍ଭାବନାଯୋଗ୍ୟ ଊରୁମୂଳ ଛୁଇଁ ଦେବାରୁ ନଖର ରେ ।୧।

 

ରାତି ପାହିଗଲା ବୋଲି କମ୍ପୁଥିଲୁ ଗୁରୁଜନଙ୍କ ଡରରେ,

ରତି ଶେଷେ ହଟି ଛନ୍ଦିଲି ତୋ କଟି ଯାହା ପୀତଫେଟା ଫେରରେ ।୨।

 

ରାଣ ବୋଲୁ ଠେସି ନଖି ଭାଷି ହସି ପଶିଗଲୁ ଅନ୍ତଃପୁରରେ,

ରସିକା ରେ ପାଣି ବାଜିବାର ଜାଣି ନାହିଁ ମୁଁ ତୋ ପୟୋଧରରେ ।୩।

 

ରଙ୍କ ସଦୃଶ ତ ହେଉଥାଏ ଚିତ୍ତ ବୁଡ଼ି ତୋ ଶୋଭା ନିର୍ଝରରେ,

ରମିବାରେ ଚେତା ରହେ କି ପଣ୍ଡିତାମଣି ବିବେଚନା କର ରେ ।୪।

 

ରସିଲେ ଏ ବାଣୀ ଶୁଣି ଠାକୁରାଣୀ ମୋହନମୁରଲୀଧରରେ,

ରଥକୁଳ - ଜଳନିଧି - ବୀଚି ବଳଦେବ ବନ୍ଦେ ଅବସରରେ ।

 

 

 

 

 

(ର) ଟୀକା-ଶ୍ରୀକୃଷ୍ଣ ରାଧାଙ୍କୁ କହୁଅଛନ୍ତି; ନଉକର-ଚାକର, ରଦନ-ଦାନ୍ତ, ଦଶନାମ୍ବର-ଅଧର, ରୁଦ୍ରାଣୀଙ୍କ ବ୍ରତ-ଗୌରୀବ୍ରତ, ନଖର-ନଖଦ୍ୱାରା, ପୀତଫେଟା-ହଳଦିଆ ପିନ୍ଧା ଲୁଗା, ନଖି-ଦୁଇଟି ଅଙ୍ଗୁଳିରେ ନଖ ପରସ୍ପର ଘଷିଲେ ରାଣ କାଟେ ନାହିଁ, ଏହି ପ୍ରଥାକୁ ‘ନଖି’ ବୋଲି କହନ୍ତି । ରଥକୁ ଜଳନିଧି ବୀଚି-ରଥବଂଶରୂପ ସମୁଦ୍ରର ଲହରୀସ୍ୱରୂପ ।

 

ରାଗ – ସାବେରୀ

 

ଲାଗିଲା ରେ ଲାବଣ୍ୟନିଧିକି ଶ୍ୟାମ ଲଟ,

ଲୋଚନେ ଦେଖିଲେ ଲୋକ ମୁକୁଟଚନ୍ଦ୍ରକଯାକ

ଲାକ୍ଷାରେ ହେବାରେ ନଟପଟ ।ପଦ।

 

ଲବଙ୍ଗଲତା ଭବନେ, ବ୍ୟସ୍ତ ହୋଇ ନିଧୁବନେ,

ପଡ଼ିଅଛି ପୁଣି ଫୁଲଖଟ; ଲୋହିତ ସୁଧାଶୁଂ -

କଳା ନୀଳଲୋହିତ ବହିଲା ପରି ପୁଣି ଦିଶେ ସ୍ତନଘଟ ।୧।

 

ଲଳିତା ଦେଖିଲା ପୁଣି, ଲାଗି ହେବାର କାଛେଣୀ,

କରି ନୀଳଚେଳ ନୂଆନଟ; ଲହକେ ପୁଣି କିଶୋରୀରତନ ଚେତା ପାସୋରି,

ପିନ୍ଧି ପକାଇଲା ପୀତପଟ ।୨।

 

ଲଜ୍ଜା ହେବାରୁ ପ୍ରବଳ, ହେଲେ ହେଲେ ଅନୁକୂଳ,

ରାଜି ନ କରିବାରୁ ଉଲଟ; ଲକ୍ଷ ପରମିତ ଆନ,

ପକାଇ ସେହି ବିଧାନ ହେବାଯାଏ କଲେ ପୁଣି ହଟ ।୩।

 

 

 

 

 

ଲେଖାଧିପ ମଣିମୟ ଦିଶୁଛି ଶଶୀ ଉଦୟ,

ସମୟେ ଅର୍ଯମାଜେମାତଟ; ଲଳିତ ଶମ୍ପାବଲ୍ଲରୀ,

ଜିଣି ତାହା ମଧ୍ୟେ ଶିରୀ, ବିଳସୁଛି ପୁଣି ଝଟଝଟ ।୪।

 

ଲୁଳିଗଲାନି ନିକୁଞ୍ଜସଞ୍ଚାରୁ ଚରଣକଞ୍ଜ,

କହେ କବିରବି ମଧୁଲିଟ; ଲୁଚାଉଥାଏ ଯୁବତୀ -

ରତନ ମୋହନ ପ୍ରୀତି, ନ ଜଣାଇ ବୋଲି ମୁଁ ନିପଟ ।୫।

 

(ଲ) ଟୀକା-ସଖୀମାନେ ରାଧାକୃଷ୍ଣଗତ ପ୍ରୀତି ବର୍ଣ୍ଣନ କରୁଅଛନ୍ତି; ଲାବଣ୍ୟନିଧି-ପରମା ସୁନ୍ଦରୀ ରାଧା, ଲଟ-ଜଞ୍ଜାଳ, ଲାକ୍ଷା-ଅଳତାର ବୋଳ, ନିଧୁବନ-କ୍ରୀଡ଼ାକୌତୁକ, ଲୋହିତ ସୁଧାଂଶୁକଳା-ରକ୍ତବର୍ଣ୍ଣ ଚନ୍ଦ୍ରଲେଖା, ନୀଳଲୋହିତ-ମହାଦେବ, କାଛେଣୀ ପରି ଲାଗିହେବା-ଅଣ୍ଟାରେ ଭିଡ଼ି କରି ପିନ୍ଧିବା, ନୀଳଚେଳ-ନୀଳବସ୍ତ୍ର (ରାଧାଙ୍କର); ନୂଆନଟ-ଶ୍ରୀକୃଷ୍ଣ, ଲହକେ-ଅବନତ ହୋଇ ନା ନଇଁପଡ଼ି; ଆନ-ରାଣ, ଲେଖାଧିପ ମଣିମୟ-ଇନ୍ଦ୍ରମଣି ତେଜଃପୂର୍ଣ୍ଣ, ଅର୍ଯମାଜେମାତଟ-ଯମୁନା କୂଳ, ଶମ୍ପାବଲ୍ଲରୀ-ବିଦ୍ୟୁତ୍ ଲତା, ଲୁଳି ଗଲାନି-କ୍ଲାନ୍ତ ହୋଇ ପଡ଼ିଲାଣି-

 

ରାଗ-ରେଗୁପ୍ତ

 

ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ, ବିଷ ତୁଲ୍ୟ ତ ମୋତେ ମଣିଲା ରେ,ବଚନ ନ କହିଲା,

ବିନୟ ନ ସହିଲା, କି ହେଲା, ମହିଳାବର ରୁଷି ରହିଲା ରେ ।ପଦ।

 

ବସନ୍ତକାଳ, ବିଚ୍ଛେଦରେ ଏକାଳ, ବହଇ ମଳୟାନିଳ,

ବିଯୋଗିପ୍ରଳୟାନଳ, ବିପକ୍ଷ ସଙ୍ଗରେ ତ ଗଣିଲା ରେ ।୧।

 

ବାଳାବର ସେ, ବେଳେ ମୋରେ ନ ରୁଷେ, ବିବେକ ନ କରି ଲେଶେ,

ବିଳସିବାର ହରଷେ, ବରଜି ଏ ଦୁର୍ଯୋଗ କିଣିଲା ରେ ।୨।

 

ବିଡ଼ିଆ ବିଡ଼ି, ବଢ଼ାଇଲି ସଜାଡ଼ି ବାତ୍ସଲ୍ୟପୀୟୂଷ ଇଡ଼ି,

ବସିଲା ଶ୍ରୀମୁଖ ମୋଡ଼ି, ବକ୍ରନାଳ କଞ୍ଜକୁ ଜିଣିଲା ରେ ।୩।

 

ବିକଳ ହୋଇ ବହୁ ଅଶ୍ରୁ ବୁହାଇ ବଦନ ବିଧୁ ନୁଆଇଁ;

ବରତୁଳସ୍ତନେ ଥୋଇ, ବରୁଣାଦ୍ରିଚନ୍ଦ୍ରକୁ ଟାଣିଲା ରେ ।୪।

 

ବିଅର୍ଥେ ଦିନ ବଞ୍ଚାଉଅଛି ମୋ ଧନ, ବିଷମ ଏ ଯଉବନ ବିଜୁଳିଠାରୁ ଜବନ,

ବଳଦେବ କବୀନ ଭଣିଲା ରେ ।୫।

 

 

 

 

(ବ) ଟୀକା-ଶ୍ରୀକୃଷ୍ଣଙ୍କ ରାଧିକାଗତ ଚିନ୍ତା; ବିଚ୍ଛେଦରେ ଏ କାଳ-ବିରହ ବିଷୟରେ ଏହା ଯମସ୍ୱରୂପ, ବିଯୋଗି ପ୍ରଳାୟନଳ-ବିରହୀ ପକ୍ଷରେ ପ୍ରଳୟ କାଳର ଅଗ୍ନି ପରି, ବେଳେ-ଥରେ, ବିଡ଼ିଆ ବିଡ଼ି-ପାନଖିଲ, ବାତ୍ସଲ୍ୟପୀୟୂଷ ଇଡ଼ି-ସ୍ନେହରୂପ ଅମୃତକୁ ଢାଳିଦେଇ ଅର୍ଥାତ୍ ସ୍ନେହଶୂନ୍ୟ ହୋଇ, ବକ୍ରନାଳକଞ୍ଜ-ଯେଉଁ ପଦ୍ମର ନାଡ଼ ବଙ୍କା, ବରୁଣାଦ୍ରିଚନ୍ଦ୍ର-ପଶ୍ଚିମ ଦିଗର ଅସ୍ତଗାମୀ ଅତଏବ ଆରକ୍ତ ଚନ୍ଦ୍ର, ଜବନ-ଚଞ୍ଚଳ, କବୀନ-କବିସୂର୍ଯ୍ୟ ।

 

ରାଗ - ତୋଡ଼ିମୁଖାବରୀ

 

ଶ୍ରୀହରି ହେ ରଜନୀ ପାହିଲା, ଶତପତ୍ର ବନରୁ ପବନ ମନ୍ଦ ମନ୍ଦ ବହିଲା,

ଶମନଭଗିନୀର ନୀରଜାଙ୍ଘ୍ରିନୂପୁର ପରିପୂରିତ ମନୋରଥ ରଥାଙ୍ଗସ୍ୱର,

ଶଶି-କର-ଶୀକର ନିକର ଅସ୍ତଧର ବରଚୂଳକୁ ମାତ୍ର ଚାହିଁଲା ।ପଦ।

 

ଶ୍ରମ-ସିନ୍ଧୁ ମଧ୍ୟେ କେ ସାହସତରୀ ବାହିଲା,

ଶଙ୍କା ଲେଶ ହେଲେ ଦିବ୍ୟଚିତ୍ତକୁ ନ ପାଇଲା ।୧।

 

ଶମ୍ଭୁପରିପନ୍ଥା ତୂଣେ କେତେ ବାଣ ବହିଲା,

ଶୃଙ୍ଗାର-ଶାସ୍ତ୍ରକୁ ନିଶି ସମୟ ନ ସହିଲା ।୨।

 

ଶାବକ ମୃଗାକ୍ଷୀ କେତେ ଜନ୍ମ ତପେ ଦାହିଲା,

ଶମ୍ବାୟୁଧମଣି ଶ୍ୟାମତନୁ ମନ ମୋହିଲା ।୩।

 

ଶରଦିନ୍ଦୁ ସୁଧାସୂତିନାଳକୁ କି ବହିଲା,

ଶ୍ରୀବଅବତଂସ କଳହଂସ ଧ୍ଵନି ନୋହିଲା ।୪।

 

ଶମ୍ବାରାରି ସଉଚିକ ଏ ଭୀତିକି ବହିଲା,

ଶରସୂଚୀରେ ଶରୀର ଯୁଗ ଗାଢ଼େ ସିଇଁଲା ।୫।

 

 

 

ଶୂର କବିକର ପଦକଞ୍ଜତଳେ କହିଲା,

ଶେଷ ଆଜ ନିଶାକୁ ରହିଲେ ପଛେ ରହିଲା ।୬।

 

(ଶ) ଟୀକା-ସଖୀମାନେ କୁଞ୍ଜଗୃହଗତ ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇ ଅଛନ୍ତି; ଶତପତ୍ରବନରୁ-ପଦ୍ମବନରୁ, ଶମନଭଗିନୀର ନୀରଜାଂଘ୍ରିନୂପୁରପରିପୂରିତ ମନୋରଥ ରଥାଙ୍ଗସ୍ୱର-ଯମୁନାର ପଦ୍ମପାଦର ନୂପୁରୁଶଦ୍ଦ ସଦୃଶ ପୂର୍ଣ୍ଣମନୋରଥ ଚକ୍ରବାକମିଥୁନର ଶଦ୍ଦକୁ ଘେନି ପଦ୍ମବନର ପବନ ଧୀରେ ଧୀରେ ବହିଲା। ଶଶିକରଶୀକରନିକର-ଚନ୍ଦ୍ରକିରଣରୂପ ଜଳକଣାସମୂହ, ଅସ୍ତଧର-

 

ରାଗ-ଭୈରବ

 

ଶାଢ଼ୀ କାହିଁ ଦେବଟି ହେ, ସଙ୍କୋଚେ ମୋର ପ୍ରାଣ ଯିବଟି ହେ, ସୁନ୍ଦର ହେ ମଲି,

ଏ ବଡ଼ ଛଇଳି, ଛାଉଲିରେ ଜାତି ନେବଟି ହେ ।ପଦ।

 

ସାକ୍ଷାତ ଦେଖିଲେ ହେଲେ ଲୋଚନେ, ସମସ୍ତଙ୍କୁ ଜଟି ହୁଏ ବଚନେ,

ସାଧିଅଛି ଏ କି ସର୍ବଜ୍ଞ ଦେବୀ କି ଏହାକୁ ପାରିବ କେ ବଟି ହେ ।୧।

 

ସହସ୍ର କୋଟି ସପତଟି ମୋର, ସତେ କାହିଁ ଛପାଇଛ ଅମ୍ବର,

ସୁନାପୁଅ ପରା, ସଖୀ ଆଗେ ଧରା ନ ପଡ଼ୁ ମୋତେ ରଖିବଟି ହେ ।୨।

 

ସୁଖସଙ୍ଖାଳି ହେ ଦୁଃଖପାସୋରା, ସେ ବିଧିକି ନ ମଙ୍ଗିବାରୁ ପରା,

ସଢ଼ାଉଛ ଲାଜ ଯନ୍ତ୍ରେ ନିଶି ଆଜ, ସବୁ ସେହିପରି ହେବଟି ହେ ।୩।

 

ସରୁକଟୀରେ ପୀତଚେଳ ଭିଡ଼ି, ସୀମା ପାର କରିଅଛ ମୋ ଶାଢ଼ୀ ସମର୍ପିତ ଜନ,

ସଂକୋଚରେ ଲୀନ, ହେଲେ ଆପଣା ଲାଘବଟି ହେ ।୪।

 

ସଂସାରେ ନ ଥିବାର ତୁମ୍ଭ ସ୍ନେହ, ସୁରତ ସରିଲେ ସହାୟ ନୁହ,

ସରୋଜାକ୍ଷିଜାତି, କଦମ୍ବ ବ୍ରତତୀ ମନ୍ଦିରେ ସପନ ଦେଖିବଟି ହେ ।୫।

 

 

 

 

ସମ୍ପାଦିଛ ସତେ କାହିଁ ଆପଣ, ସୀମନ୍ତିନୀକି ସଢ଼ାଇବା ଗୁଣ,

ସ୍ମରୁଥିବ ଅନୁଦିନେ କବିଭାନୁ ରାୟଗୁରୁ ବଳଦେବଟି ହେ ।୬।

 

(ସ) ଟୀକା-ରାଧା କୃଷ୍ଣଙ୍କୁ କହୁଅଛନ୍ତି; ଛଇଳି-ରସିକା, ପରିହାସପ୍ରିୟା; ଛାଉଲି-ପରିହାସ, ଜଟି ହୁଏ-ବିବ୍ରତ କରେ, ବଟି ପାରିବ-ଭଣ୍ଡିଦେବ ବା ଠକିଦେବ, ଶପଥ-ରାଣ, ଅମ୍ବର-ଲୁଗା, ସରୋଜାକ୍ଷି ଜାତି-ପଦ୍ମଲୋଚନା ନାରୀଜାତି, କଦମ୍ବବ୍ରତତୀ ମନ୍ଦିରେ-କେଳିକଦମ୍ବ ଲତାକୁଞ୍ଜରେ, ସଢ଼ାଇବା-କଷ୍ଟଦେବା ।

 

ରାଗ-ଚୋଖି

 

ଷୋଡ଼ଶ ସହସ୍ର ବ୍ରଜ, ସରୋଜନେତ୍ରା ସମାଜ, ବିପିନ ମରନ୍ଦପାନେ ଅତି ସରାଗେ ।

ଷଟପଦ ଯୁବବର, ପରି ଶିଖଣ୍ଡଶେଖର ବିହରିଲେ ଶରଦ ରଜନୀ ବିଭାଗେ ।

ଷଡ଼ାସ୍ୟଜନକାହିତର; ଷଷ୍ଠବାଣ ବନିଲେ ସେ ମୁରଲୀଧର ।୧।

 

ଷଡ଼କ୍ଷର ମନ୍ତ୍ର ଜପ, କରିଥିଲେ, କି ଅନଳ୍ପ, କଳ୍ପ ଯାଏ ନବ ଗୋପତରୁଣୀ ଜନେ ।

ଷଡ଼ଙ୍ଗ ବେଦ ସ୍ତବନ - ଯୋଗ୍ୟବାହୁ ଆଲିଙ୍ଗନ, ମୁଖ ସଉଭାଗ୍ୟର ହୋଇଲେ ଭାଜନ ।

ଷଡ଼ୁପାୟ ବିଚାରି ହରି, ଷଡ଼ାରାତି ପ୍ରଥମକୁ ଦେଲେ ନିବାରି ।୨।

 

ଷଡ଼ଜାଦି ସ୍ୱର ସଙ୍ଗୀତ, ମଣିମଣ୍ଡନ ଶିଞ୍ଜିତ, ହେଲା ବୀଣା ଆଦ୍ୟ ବାଦ୍ୟରବନିବହ ।

ଷଟପଞ୍ଚାଶତ କୋଟି, ଜୀବଙ୍କ ହୃଦୟେ ଘୋଟି, ପ୍ରସରିଲା ପରଂବ୍ରହ୍ମାନନ୍ଦ ପ୍ରବାହ ।

ଷଣକ୍ଷୀଣ ନୋହିଲା ପରି, ଷୋଡ଼ଶଦ୍ଦାଏ ମଣିଲେ ମୋଦେ ବିହରି।୩।

 

ଷଡ଼ଋତୁ ରୀତି ବନଯାକ ହୋଇଲା ଶୋଭନ, ସୁରବାରବିଳାସିନୀମାନେ ନାଚିଲେ;

ଷଟସପ୍ତବିଂଶକୋଟି ଦେବେ ବିଷ୍ଣୁପଦେ ଗୋଟି, ହୋଇ ମୋଦେ ଦୁନ୍ଦୁଭି ବାଦନ ରଚିଲେ ।

ଷ - କାର ନିୟମ ସରିଲା, ଷଟ୍‍କର୍ମ - ନିରତ କବିରବି କହିଲା ।

 

 

 

 

 

(ଷ) ଟୀକା-ବନବିହାରବର୍ଣ୍ଣନ: ସରୋଜନେତ୍ରାସମାଜ ବିପିନମରନ୍ଦ ପାନେ-ପଦ୍ମନେତ୍ରା-ନାରୀସମୂହରୂପ ବନର ମକରନ୍ଦ ପାନରେ, ଷଡ଼ସ୍ୟଜନକାହିତର-କାର୍ତ୍ତିକେୟ ପିତାଙ୍କର ଶତ୍ରୁ ଅର୍ଥାତ୍ କନ୍ଦର୍ପର, ଷଷ୍ଠବାଣ ବନିଲେ-କନ୍ଦର୍ପର ୫ ଗୋଟି ବାଣ, ମାତ୍ର ଶ୍ରୀକୃଷ୍ଣ ତାହାର ଷଷ୍ଠବାଣ ସ୍ୱରୂପ ହୋଇଥିଲେ । ଷଡ଼କ୍ଷରମନ୍ତ୍ର-ଓଁ ନମଃ ଶିବାୟ ଏହି ମନ୍ତ୍ର, ଅନଳ୍ପକଳ୍ପ-ବହୁଯୁଗ, ଷଡ଼ଙ୍ଗ ବେଦ-ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଜ୍ୟୋତିଷ, ଛନ୍ଦ-ଏହି ଛ ଅଙ୍ଗ ସହିତ ବେଦ, ଷଡ଼ାରାତି ପ୍ରଥମ-କାମାଦି ଛ ଶତ୍ରୁର ପ୍ରଥମ ଅର୍ଥାତ୍ କାମ; ଷଡ଼ୁପାୟ-ସାମ, ଭେଦ, ଦାନ, ନତି, ଉପେକ୍ଷା ଓ ରସାନ୍ତର-ମାନଭଙ୍ଗ ନିମିତ୍ତ ନାୟକ ଅବଲମ୍ବିତ ଏହି ଛଅଗୋଟି ଉପାୟ-

 

ରାଗ-କାଫି

 

ହେଳେ ହରିଭୟଭୂତି ଆଜି ମିଳିଲା ରେ ।ପଦ।

 

ହାସ ପୀୟୁଷ - ଶୀକର, ହୃଷ୍ଟମୁଖ ଶଶିକର,

ସନ୍ଦେହ ଅନ୍ଧକାରକୁ ଗିଳିଲା ରେ ।୧।

 

ହରଷେ ମୋ ଚାଟୁବାଣୀ, ହୃଦୟକଞ୍ଜକୁ ଆଣି,

ହରିଣାକ୍ଷୀ ଯା ମୋ କୋଳେ ଖେଳିଲା ରେ ।୨।

 

ହଜାରେ ଚୁମ୍ବିଲି ଘଷି, ଗଣ୍ଡେ ଗଣ୍ଡ ଇଷି

ଇଷି ଗିର ସଙ୍ଗେ କି ରସ ଉଛୁଳିଲା ରେ ।୩।

 

ହୃଦେ ଲଗାଇଲି ସ୍ତନ, ହରତାଳି ତାଳ ଧନ,

ମନ ଘନ ପରିରମ୍ଭେ ବଳିଲା ରେ ।୪।

 

 

ହରିଲି ବସନ ଯହୁଁ, ହସି ବ୍ୟାଜେ ଉହୁଁ

ଉହୁଁ ଭାଷୁଥିଲା ମୁଖେ ମାତ୍ର ଚଳିଲା ରେ ।୫।

 

ହରିଦଶ୍ୱଦେବସୁତା, ତଟ ନାଟ ତତ୍ପରତା,

ହାଟକାଙ୍ଗୀ ଲାଭ ଫଳ ଫଳିଲା ରେ ।୬।

 

ହଟେ ପୂରି ଅଭିଳାଷ, ହେବାର ମୁଁ ପୂର୍ଣ୍ଣତୋଷ,

କବିରବି ରାୟଗୁରୁ କଳିଲା ରେ ।୭।

 

(ହ) ଟୀକା-ଶ୍ରୀକୃଷ୍ଣ ରାଧିକାଙ୍କ ପ୍ରଣୟର ଅନୁସ୍ମୃତି କରୁଅଛନ୍ତି; ହେଳେ-ଅକ୍ଳେଶରେ, ହରିହୟଭୂତି-ଇନ୍ଦ୍ରସମ୍ପତ୍ତି, ହାସପୀୟୂଷଶୀକର-ହାସ୍ୟରୂପ ଅମୃତର କଣିକା, ଘନପରିରମ୍ଭ-ଗାଢ଼ ଆଲିଙ୍ଗନ, ବ୍ୟାଜେ-ଛଳରେ, ହରିଦଶ୍ୱଦେବସୂତା-ସୂର୍ଯ୍ୟକନ୍ୟା, ଯମୁନା; ହାଟକାଙ୍ଗୀ-ସୁବର୍ଣ୍ଣପରି ଗୌର ଅଙ୍ଗ ଯାହାର, ହଟେ-ବଳତ୍କାରରେ, ପୂରି-ପୂର୍ଣ୍ଣ କରି ।

 

କ୍ଷ

ରାଗ - ସୋମ

 

କ୍ଷୀଣମଧ୍ୟମା ରେ, କ୍ଷଣେ ନୋହିବାଟି ଭିନ୍ନ,

କ୍ଷେମତନ୍ତୁ ପରି ହରିବା ଏ ଯଉବନ ।ପଦ।

 

କ୍ଷୋମରୂପିଣୀ ଚନ୍ଦ୍ରଚାରିମଚୌର୍ଯ୍ୟ ଧୂର୍ଯ୍ୟତରାନନେ,

କ୍ଷୁର୍ଣ୍ଣ ବାସବ ନୀଳ ଚାମର ଚୂର୍ଣ୍ଣକୁନ୍ତଳ ଶୋଭନେ, କ୍ଷୌଣୀଭୃଦ୍ବର, ପୀବର ସ୍ତନମଣ୍ଡନେ, ଯମୁନାବନେ, କ୍ଷପାକରକରେ ଖେଳୁଥିବା ଆଲିଙ୍ଗନେ ।୧।

 

କ୍ଷୋଦ୍ରସାର ସମାନଭାଷୀ ସୁ - କୁନ୍ଦସୁନ୍ଦରହାସୀ ରେ, କ୍ଷ୍ୱେଡ଼ଭୂଷିତକଣ୍ଠ ପଦସରୋଜ ସେବନୁ କାଶୀରେ, କ୍ଷୀବକୁଞ୍ଜରଗାମିନୀ ମୁଁ ଲଲାମ ଖୋସିଲି ତୋ ଶିରେ,

କ୍ଷାଳିତ ହୋଇ ତୋ ପ୍ରେମପୀୟୂଷ ରାଶିରେ ।୨।

 

କ୍ଷୀରନୀର ସୁଧାଂଶୁ କୈରବ ବାରି ମୀନ ବରାବରେ କ୍ଷେପିବା ପ୍ରତି ରାତି ବାସର କାମକେଳି ଦରୋଦରେ କ୍ଷୁଦ୍ରଘଣ୍ଟ ସମୂହ ନୂପୁରୁ ହଂସକାଦି ନିନାଦରେ,

କ୍ଷମେ ପୁଆଇବା ମାର ତାପକୁ ମୋଦରେ ।୩।

 

 

 

 

କ୍ଷୁବ୍ଧ ଦୁଗ୍ଧ ସମୁଦ୍ରବୀଚି ବିକିର୍ଣ୍ଣବିନ୍ଦୁ ଶୁଚିସ୍ମିତେ, କ୍ଷମ କୋମଳ ହେମଚମ୍ପକ - ଗୌରବିଗ୍ରହମଣ୍ଡିତେ,

କ୍ଷୋଦ ହିଙ୍ଗୁଳଲାଲ ଦନ୍ତ - ଦୁକୂଳଳଶୋଭିନି ପଣ୍ଡିତେ,

କ୍ଷିତିସୁର କବିକଞ୍ଜବାନ୍ଧବବନ୍ଦିତେ ।୪।

 

(କ୍ଷ) ଟୀକା-ପୂର୍ଣ୍ଣକାମ ଶ୍ରୀକୃଷ୍ଣ ରାଧାଙ୍କୁ କହୁଅଛନ୍ତି: କ୍ଷେମତନ୍ତୁ-ମଙ୍ଗଳସୂତ୍ର । କ୍ଷୋମରୂପିଣୀ-ଦୁକୂଳରୂପିଣୀ, ଚନ୍ଦ୍ରଚାରିମଚୌର୍ଯ୍ୟଧୂର୍ଯ୍ୟତରାନନେ-ଚନ୍ଦ୍ରର ଚାରୁତ୍ୱ ଚୋରୀ କରିବାରେ ଅତି ନିପୁଣ ଆନନ ଯାହାର, ଅର୍ଥାତ ଯାହାର ମୁଖର ସୌନ୍ଦର୍ଯ୍ୟ ଚନ୍ଦ୍ରର ସୌନ୍ଦର୍ଯ୍ୟ ଅପେକ୍ଷା ଅଧିକତର ମନୋହର । କ୍ଷୁଣ୍ଣବାସବ ନୀଳଚାମର ଚୂର୍ଣ୍ଣକୁନ୍ତଳ ଶୋଭନେ-ଶାଣଦ୍ୱାରା ଘଷା ହୋଇଥିବା ଇନ୍ଦ୍ରନୀଳମଣି ଓ ଚାମର ପରି ଚୂର୍ଣ୍ଣକୁନ୍ତଳଦ୍ୱାରା ପରିଶୋଭିତ। କ୍ଷୌଣୀଭୃଦବର-ପର୍ବତଶ୍ରେଷ୍ଠ, ପୀବର-ପୃଥଳ, କ୍ଷପାକରକରେ-ଚନ୍ଦ୍ରକିରଣରେ, କ୍ଷୌଦ୍ରସାର ସମାନଭାଷୀ-ମହୁର ସାରପରି ଭାଷା ଯାହାର, ମିଷ୍ଟଭାଷୀ, ସୁକୁନ୍ଦ ସୁନ୍ଦରହାସୀ-ସୁନ୍ଦର କୁନ୍ଦପୁଷ୍ପ ପରି ହସ ଯାହାର, କ୍ଷ୍ୱେଡ଼ଭୂଷିତ କଣ୍ଠ-ବିଷଦ୍ୱାରା ଭୂଷିତ କଣ୍ଠ ଯାହାର, ମହାଦେବ; ପଦସରୋଜ ସେବନୁ କାଶୀରେ-ବାରଣସୀରେ ମହାଦେବଙ୍କ ପାଦପଦ୍ମ ସେବା କରିଥିବା ହେତୁ; କ୍ଷୀବକୁଞ୍ଜରଗାମିନୀ-ମତ୍ତଗଜଗମନା, ଲଲାମ-ଭୂଷଣ, କ୍ଷାଳିତ-ଧୌତ, କୈରବ-କୁମୁଦ, କଇଁ, ବରାବରେ-ସମାନରେ, ବାସର-ଦିନ, ଦରୋଦରେ-ପଶାଖେଳରେ, ହଂସକ-ପାଦର ଅଳଙ୍କାରବିଶେଷ, କ୍ଷମେ-ଉତ୍ତମ ରୂପେ, କ୍ଷୋଦ-ଚୂନା, ଦନ୍ତଦୁକୂଳ-ଅଧର, କ୍ଷିତିସୁର-ବ୍ରାହ୍ମଣ, କବିକଞ୍ଜବାନ୍ଧବ-କବିସୂର୍ଯ୍ୟ ।